୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା, ଖୋର୍ଦ୍ଧା ଏବଂ ଗୃହ ମନ୍ତ୍ରଣାଳୟ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ୭ଦିନ ଧରି ଚାଲିଥିବା ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ଏକତାର ସୂତ୍ରରେ ବାନ୍ଧି ରହିବା ପାଇଁ ଯୋଗଦେଇଥିବା ଅତିଥିମାନେ ନିଜ ମତ ପ୍ରକାଶ କରିବା ସହ ଜୀବନରେ ଜଣେ ଜଣେ ଆଦର୍ଶ ନାଗରିକ ହେବା ପାଇଁ ଯୁବକ, ଯୁବତୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି ରୂପେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତୀ ବେହେରା, ଏନ୍‌.ସି.ଏସ୍‌.ସି. ଫର ଏସ୍‌.ସି/ ଏସ୍‌.ଟି ବିଭାଗର ତପନ କୁମାର ରାଉଳ, ଜିଲ୍ଲା ଯୁବ ଅଧିକାରୀ କେଉଁଝରର ଶ୍ରୀମତୀ ବସୁନ୍ଧରା ସାହୁ, ଜିଲ୍ଲା ଯୁବ ଅଧିକାରୀ ଖୋର୍ଦ୍ଧାର ବିପିନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଓଡ଼ିଶା ସମେତ ଝାରଖଣ୍ଡ, ମହାରାଷ୍ଟ୍ର, ଛତିଶଗଡ଼ ରାଜ୍ୟରୁ ୨ଶହ ଯୁବକ ଯୁବତୀ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ପରିପ୍ରେକ୍ଷୀରେ ଯୁବକ ଯୁବତୀମାନଙ୍କ ମଧ୍ୟରେ ଏକ ତର୍କ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର, ଅର୍ଥରାଶି, ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ, କୈଳାସ ମହାନ୍ତି, ରୋହିତ ନନ୍ଦେଶ୍ୱର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ