ସ୍ୱାମୀର ଏସିଡ଼ ମାଡ଼ରେ ଦ୍ୱିତୀୟ ପତ୍ନୀଙ୍କ ସମେତ ୪ ଗୁରୁତର

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ସହେଦେବଖଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଗ୍ରାମରେ ଜନୈକ ଯୁବକଙ୍କ ଏସିଡ ମାଡ଼ରେ ପତ୍ନୀଙ୍କ ସମେତ ଦୁଇ ମହିଳା ଓ ଦୁଇ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଭୀମପୁରା ଗ୍ରାମର କାର୍ତ୍ତିକ ସିଂଙ୍କ ବଡ଼ଝିଅ ବର୍ଷା ସିଂ (୨୫), ତାଙ୍କ ୫ବର୍ଷର କନ୍ୟା ଓ ୮ ମାସର ଶିଶୁପୁତ୍ର ଏବଂ ସାନଝିଅ ବନିତା ସିଂ (୨୦) । ତେବେ ବନିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବନିତାଙ୍କ ବାପା କାର୍ତିକ ସିଂଙ୍କ ଏତଲା କ୍ରମେ ସହଦେବଖୁଣ୍ଟା ଥାନା ପୁଲିସ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ନୟାପାଟଣା ଗ୍ରାମର ଚନ୍ଦନ କୁମାର ରଣା ଭୀମପୁରା ଅଞ୍ଚଳର ଏକ ଗହଣା ଦୋକାନରେ କାରୀଗର ଭାବେ କାର୍ଯ୍ୟ କରୁଥିବା ବେଳେ ବନିତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରାୟ ଦେଢ଼ ମାସ ପୂର୍ବେ ଉଭୟ ବିବାହ କରିଥିଲେ । ମାତ୍ର ପୂର୍ବରୁ ଯେ ଚନ୍ଦନ ବିବାହିତ ଏବଂ ପତ୍ନୀଙ୍କ ସମେତ ତାଙ୍କର ଦୁଇ ସନ୍ତାନ ଅଛନ୍ତି, ବିବାହ ପରେ ଏ ସମ୍ପର୍କରେ ବନିତା ଜାଣିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକବିତଣ୍ଡା ହବା ସହ ବନିତା ବାପାଙ୍କ ଘରକୁ ପଳାଇ ଆସି ଭୀମପୁରାରେ ଭଡ଼ା ନେଇ ରହୁଥିବା ବଡ ଭଉଣୀ ବର୍ଷାଙ୍କ ପାଖରେ ଆଶ୍ରୟ ନେଇଥିଲେ । ପରେ ସେ ସହଦେବଖୁଂଟା ଥାନାରେ ଚନ୍ଦନ ବିରୋଧରେ ଏକ ଏତଲା ମଧ୍ୟ ଦେଇଥିଲେ । ୧୫ ଦିନ ତଳେ ଥାନାରେ ଚନ୍ଦନ ଓ ବନିତା ଉଭୟଙ୍କ ଠାରୁ ଅଲଗା ରହିବା ନେଇ ଦୁଇ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା । ଏପରିକି କେହି କାହା ସହ ସମ୍ପର୍କ ରଖିବେ ନାହିଁ ବୋଲି ଊଭୟ ଚନ୍ଦନ ଓ ବନିତା ବୁଝାମଣାପତ୍ରରେ ରାଜି ହୋଇଥିଲେ । ତେବେ ସୋମବାର ଦିନ ୧୨ଟା ସମୟରେ ଚନ୍ଦନ ଭୀମପୁରା ସ୍ଥିତ ବର୍ଷାଙ୍କ ଭଡ଼ାଘରେ ପହଞ୍ଚି ବନିତାକୁ ସଙ୍ଗରେ ନେଇଯିବାକୁ ଡାକିଥିଲେ । ବନିତା ଏବଂ ବଡ଼ ଭଉଣୀ ବର୍ଷା ଘରୁ ବାହାରକୁ ଆସିବା ମାତ୍ରେ ଚନ୍ଦନ ସେମାନଙ୍କ ସହ ଯୁକ୍ତି ତର୍କ କରିଥିଲା । ବନୀତା ତାଙ୍କ ସହ ଯିବାକୁ ରାଜି ନ ହେବାରୁ ଶେଷରେ ଚନ୍ଦନ ଉତ୍ତ୍ୟକ୍ତ ତାଙ୍କ ଉପରକୁ ଫୋପାଡି ଥିଲା । ଅଧିକ ମାତ୍ରାରେ ଏସିଡ ବନିତାଙ୍କ ଉପରେ ପଡ଼ିଥିବା ବେଳେ ତାଙ୍କ ଶରୀର ୮୦ରୁ ଅଧିକ ଭାଗ ପୋଡି ଯାଇଛି । ବନୀତାଙ୍କ ପାଖରେ ଛିଡ଼ା ହୋଇଥିବା ବର୍ଷା ଓ ଦୁଇ ଶିଶୁ ଏହି ଏସିଡ଼ ମାଡ଼ରେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଘଟଣା ଘଟାଇବା ପରେ ଚନ୍ଦନ ସେଠାରୁ ଫେରାର ହୋଇଯାଇଥିବା ବେଳେ ବନୀତାଙ୍କ ସହ ଅନ୍ୟ ଆହତଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରୁ ବନିତାଙ୍କୁ କଟକ ବଡ ଡାକ୍ତରଖାନା ସ୍ତାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରରୁ ଜଣାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ ପୂର୍ବକ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ