ଆଜିମାବାଦରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଗାୟତ୍ରୀ ପରିବାର ପକ୍ଷରୁ ଆଜିମାବାଦ ନୂଆ ପୋଖରୀ ସ୍ଥିତ ନୀଳକଣ୍ଠେଶ୍ୱର କ୍ଲବ ନିକଟରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଯାଇଛି । ନୀଳକଣ୍ଠେଶ୍ୱର କ୍ଲବ ଓ ସରସ୍ୱତୀ ମହିଳା ମଣ୍ଡଳର ମିଳିତ ସହଯୋଗରେ ଆୟୋଜିତ ଏହି ଗାୟତ୍ରୀ ଯଜ୍ଞରେ ସକାଳେ ମହିଳାଙ୍କ ଦ୍ୱାରା ଘଟ ଉତ୍ତୋଳନ ସହ କଳସ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲା । ଶୋଭାଯାତ୍ରା ଯଜ୍ଞସ୍ଥଳରେ ପହଞ୍ଚିବା ପରେ ସମସ୍ତଙ୍କୁ ବନ୍ଦାପନା ସହ ସ୍ୱାଗତ କରାଯାଇଥିଲା । ପରେ ଘଟ ସ୍ଥାପନ ସହ ପାଞ୍ଚ ଗୋଟି କୁଣ୍ଡରେ ଯଜ୍ଞ କର୍ମକାଣ୍ଡ ଗାୟତ୍ରୀ ପରିବାରର ରୀତିନୀତିରେ ଆରମ୍ଭ ହୋଇଥିଲା । ଘଣ୍ଟ ଘଣ୍ଟା ଶଙ୍ଖଳ ହୁଳହୁଳି ସାଙ୍ଗକୁ ଭଜନ କୀର୍ତ୍ତନରେ ସମ୍ପୃକ୍ତ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଗାୟତ୍ରୀ ପରିବାର ମୁଖ୍ୟ ଟ୍ରଷ୍ଟି ସୁକାନ୍ତୀ ରଥ ଓ ରେଖାରାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯଜ୍ଞ କର୍ମକାଣ୍ଡକୁ ବାସୁକୀ ଦୁଲାର ଦାସ, ଗୌରଚନ୍ଦ୍ର ବେହେରା, ଜଗତାନନ୍ଦ ମହାପାତ୍ର, ବଳରାମ ଜେନା, ରାନୁ ବେହେରା, ଗୋକୁଳାନନ୍ଦ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ଯଜ୍ଞ ପୂର୍ଣ୍ଣାହୁତି ପରେ ଆୟୋଜିତ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।