କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ଦୁଇ ଦିନିଆ ଜାତୀୟ ସମ୍ପାନ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ଆନୁକୂଲ୍ୟରେ ଏକ ଦୁଇଦିନିଆ ଜାତୀୟ ସମ୍ପାନ “ମଲଟି ଫଙ୍କମନସ ଆଣ୍ଡ ଡିସପ୍ଲେସମେଣ୍ଟ ଓମ୍ୟାନ ଦି ଅଦର”ଶୀର୍ଷକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଦିବସରେ ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡଃ. ଅଜିତ କୁମାର ମୁଖାର୍ଜୀ ମୁଖ୍ୟ ଅତିଥି ଏବଂ ଆଇ.ଆଇ.ଟି. ପାଟନାର ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡଃ. ପ୍ରିୟଙ୍କା ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟରେ ନାରୀମାନଙ୍କ ବହୁମୁଖୀ ଭୂମିକା ବିଷୟରେ ବିଷଦ ଭାବେ ଆଲୋକପାତ କରିଥିଲେ । ଆବହମାନକାଳରୁ ସମାଜରେ ନାରୀମାନଙ୍କ ସ୍ଥିତି ଏବଂ ସାମ୍ପ୍ରତିକ ପରିବେଶରେ ସେମାନଙ୍କ ବହୁମୁଖୀ ପ୍ରତିଭାର ବିକାଶ ଦିଗରେ ପର୍ଯ୍ୟାଲୋଚନା କରାଯାଇଥିଲା । ବିଭାଗୀୟ ମୁଖ୍ୟ ମେଜର ମନୋରଞ୍ଜନ ମହାନ୍ତି ସମ୍ପାନର ବିଷୟବସ୍ତୁ ଆଭିମୁଖ୍ୟ ପାଠ କରିଥିବା ବେଳେ ପ୍ରଫେସର ପୂର୍ବାଶା ପ୍ରିୟଦର୍ଶନୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଫେସର ପ୍ରଭାମୟୀ ସାମନ୍ତରାୟ ସଭା ସଂଚାଳନା କରିଥିବା ବେଳେ ପ୍ରଫେସର ଅଚ୍ୟୁତାନନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସହିତ ରାଜ୍ୟର ବହୁ ଅନୁଷ୍ଠାନମାନଙ୍କରୁ ବହୁ ସାହିତ୍ୟ ଅନୁରାଗୀ ଓ ନାରୀବାଦୀ ମାନଙ୍କର ସମାଗମ ହୋଇଥିଲା । ଏଥିରେ ଇଂରାଜୀ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ନରୱେର ପ୍ରଖ୍ୟାତ ନାଟ୍ୟକାର ହେନରିକ ଇବସେନଙ୍କର ବହୁ ଚର୍ଚ୍ଚିତ ନାଟକ “ଡଲସ ହାଉସ”କୁ ମେଜର ମହାନ୍ତିଙ୍କ ନିର୍ଦେଶନାରେ ଛାତ୍ରଛାତ୍ରୀମାନେ ଜୀବନ୍ତ ଭାବେ ମଞ୍ଚସ୍ତ କରି ଦର୍ଶକମାନଙ୍କ ହୃଦୟ ଜିଣିଥିଲେ । ଏଥିରେ ବିଭାଗୀୟ ମୁଖ୍ୟ ସେକସପିଅରଙ୍କ ରଚିତ ହାମଲେଟ ନାଟକର ହାମଲେଟ ଚରିତ୍ରର ଏକକ ଅଭିନୟ କରିଥିଲେ । ଜାତୀୟ ସମ୍ପାନର ଉଦଯାପନ ଦିବସରେ ସାହିତ୍ୟ ଏକାଡେମୀ ଫେଲୋସିପ ପ୍ରାପ୍ତ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଫେସର ଡଃ. ଆଲୋକା ପଟେଲ ମୁଖ୍ୟବକ୍ତା ଏବଂ ଫକିରମୋହନ ବିଶ୍ୱ ବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଫେସର ଡଃ. ସୈାମ୍ୟାସଂଗୀତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଶ୍ୱ ସାହିତ୍ୟରେ ନାରୀମାନଙ୍କ ସ୍ଥିତି ଓ ଅଧିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀମାନଙ୍କ ଜିଜ୍ଞାସା ପୂର୍ଣ୍ଣ କରିଥିଲେ । ଏହି ସମ୍ପାନର ବୈଷୟିକ ଅଧିବେଶନରେ ବହୁ ଅନୁସନ୍ଧାନ ବିଦ୍ୱାନ ଶୋଧପତ୍ର ପାଠ କରିଥିଲେ । ଉଦଯାପନ ଦିବସରେ ବିଭାଗୀୟ ମୁଖ୍ୟ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଅନୁସନ୍ଧାନ ବିଦ୍ୱାନମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ପ୍ରଫେସର ସୁଜାତା ଷଡଙ୍ଗୀ, ପ୍ରଫେସର ଇପସିତା ବେହୁରା, ପ୍ରଫେସର ମିର ହୋସେନ ଅଲ୍ଲୀ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସଂଯୋଜକ ପ୍ରଫେସର ଡଃ. ପ୍ରଭାକର ମଲ୍ଲିକ, ଆଇ.କ୍ୟୁ.ଏ.ସି. ସଂଯୋଜକ ପ୍ରଫେସର ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ଏବଂ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ବହୁ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ