ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅନୁଦାନରୁ ଅର୍ଥ ଆତ୍ମସାତ ଅଭିଯୋଗରେ ସୋମବାର ଫୁଲବାଣୀ ଭିଜିଲାନ୍ସ ଅଦାଲତ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି। ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ ହୋଇଥିବା ବେଳେ ସରପଞ୍ଚଙ୍କୁ ୨ ବର୍ଷ ସଜ୍ଜା ଦେଇଛନ୍ତି କୋର୍ଟ। ସୂଚନା ମୂତାବକ,ଗତ ୨୦୦୬-୦୭ ଆର୍ଥିକ ବର୍ଷରେ ବୌଦ୍ଧ ଜିଲ୍ଲା ଖୁଣ୍ଟୁବନ୍ଧ ପଞ୍ଚାୟତକୁ ମନରେଗା ଯୋଜନାରେ ଦୁଇଟି ରାସ୍ତା ଓ ଗୋଟିଏ ବନ୍ଧ କାମ ପାଇଁ ଅନୁଦାନ ଆସିଥିଲା। ଏହି ଅନୁଦାନରୁ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରହରି ସାହୁ ଓ ସରପଞ୍ଚ ସୌମିତ୍ରୀ ମିଶ୍ର ୪ ଲକ୍ଷ ୪୨୨୩ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ବିଭାଗ ୨୦୧୦ ମସିହାରେ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା।ତେବେ ମାମଲାର ଶୁଣାଣି ବେଳେ ଏହି ଘଟଣାରେ ସରପଞ୍ଚ ମଧ୍ୟ ଭାବେ ଦାୟୀ ବୋଲି ଅଦାଲତ ଅନୁଭବ କରିବା ପରେ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ଅଦାଲତର ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତ ନିର୍ବାହୀ ଅଧିକାରୀ ଗୌରହରି ସାହୁଙ୍କୁ ୪ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଆଉ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ସେହିଭଳି, ଅନ୍ୟ ଅଭିଯୁକ୍ତ ତଥା ତତ୍କାଳୀନ ସରପଞ୍ଚ ସୌମିତ୍ରୀ ମିଶ୍ରଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି.ରାମଦାସ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ