ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବନବାସୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନ୍ୟଜୀବଙ୍କ ପ୍ରତି ଆମ ଶ୍ରଦ୍ଧା ଓ ସୁରକ୍ଷାର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୩ ତାରିଖଟିକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ରୂପେ ପାଳନ କରାଯାଇଥାଏ । ଉକ୍ତ ଦିବସଟିକୁ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀପଲ୍ଲୀ କନ୍ଦଳେଇର ବନବାସୀମାନେ ନିରାଡ଼ମ୍ବର ରୂପେ ପାଳନ କରିଛନ୍ତି । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ବନବାସୀମାନେ ବିଭିନ୍ନ ବନ୍ୟପ୍ରାଣୀଙ୍କ ମୁଖା ପିନ୍ଧି ନିଆରା ଢ଼ଙ୍ଗରେ ଜନସଚେତନତାର ବାର୍ତ୍ତା ବାଣ୍ଟିବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ସଂପ୍ରତି ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁର ପରିବର୍ତ୍ତନ ହେଉଛି । ସମସ୍ତେ ମନେରଖିବା ଉଚିତ୍ ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । ଯଦି ଏମାନଙ୍କ ସୁରକ୍ଷା ନକରାଯାଏ ତେବେ ଆଗାମୀ ଦିନରେ ରାଜ୍ୟରୁ ବନ୍ୟପ୍ରାଣୀ ସମ୍ପୂର୍ଣ୍ଣ ଲୋପ ପାଇଯିବେ ବୋଲି ଶ୍ରୀ ସାହୁ ବନବାସୀମାନଙ୍କୁ ଏହି ପରିପ୍ରେକ୍ଷୀରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ସାମାଜିକକର୍ମୀ ତ୍ରିଲୋଚନ ବେଉରା, ବାପିନା ନାୟକ, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସୁବାଷ ଓଝା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ


