ଚର୍ଚ୍ଚାରେ ଓଡ଼ିଆ ନାୟିକା ଶିବାନୀ
ଭୁବନେଶ୍ବର: ଶିବାନୀଙ୍କର ଦୁଇଟି ସିନେମା ଆଗାମୀ ନୂଆ ବର୍ଷରେ ରିଲିଜ୍ ହେଉଛି। ସିନେମା ଦୁଇଟି ହେଲା ‘ବାବୁ ଭାଇଜାନ୍’ ଏବଂ ‘ଦିଲ୍ ମୋର ମାନେନା’। ଏହାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଓଲିଉଡ ନାୟିକା ଶିବାନୀ। ‘ବାବୁ ଭାଇଜାନ୍’ର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ। ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ।ଏଥିରେ ଅରିନ୍ଦମଙ୍କ ସହ ପ୍ରଥମ ଥର ପାଇଁ ନଜର ଆସିବେ ଶିବାନୀ। ‘ଦିଲ୍ ମୋର ମାନେନା’ ଏକ ରୋମାଣ୍ଟିକ୍ ଫିଲ୍ମ। ଏଥିରେ ଶିବାନୀଙ୍କ ନାୟକ ହେଲେ ସ୍ୱରାଜ। ହିମାଂଶୁ ପରିଜା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ‘ବାବୁ ଭାଇଜାନ୍’ ଏବଂ ‘ଦିଲ୍ ମୋର ମାନେନା’ ଚଳିତ ବର୍ଷ ରିଲିଜ୍ ହେବାର ଥିଲା ,କିନ୍ତୁ ଏହାକୁ ଆର ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଦୁଇଟିଯାକ ସିନେମାରେ ଶିବାନୀ ନାୟିକା ଥିବା ଏବଂ ପାଖାପାଖି ଏକା ସମୟରେ ରିଲିଜ୍ ହେବାକୁ ଯାଉଥିବା ହେତୁ ନିଜେ ହିଁ ନିଜର ପ୍ରତିଦ୍ବନ୍ଦ୍ବୀ ହେବେ ବୋଲି ଚର୍ଚ୍ଚା ହେଉଛି। । ଅବଶ୍ୟ ଉଭୟ ସିନେମା ଭିନ୍ନ ସ୍ବାଦର। ପ୍ରଥମଟି ଏକ ବାୟୋପିକ୍ ହୋଇଥିବା ବେଳେ ଅନ୍ୟଟି ଏକ ରୋମାଣ୍ଟିକ୍ ସିନେମା। ସୂଚନାଯୋଗ୍ୟ, ଶିବାନୀଙ୍କୁ ଇତି ମଧ୍ୟରେ ଦୁଇଟି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି। ଏହି ଦୁଇଟି ସିନେମା ହେଲା ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ପ୍ରେମ କୁମାର’।


