ବିଜେଡି ପକ୍ଷରୁ ବାଲେଶ୍ୱରରେ ବିଜୁ ପଟ୍ଟନାୟକ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜେଡି ପକ୍ଷରୁ ଓଡ଼ିଶାର ବରପୁତ୍ର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏନେଇ ସକାଳେ ସହରର ଡିଆଇସି ଛକସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରା ଯାଇଥିଲା । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ଯୋଗଦେଇ ଓଡ଼ିଶାର ବିକାଶରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ତାଙ୍କର ସ୍ୱପ୍ନ ସମ୍ପର୍କରେ ଆଲୋକପାତ କରିଥିଲେ । ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ଓ ଓଡ଼ିଶା ବିକାଶରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାକାର କରିପାରିଛନ୍ତି ବୋଲି ବିଧାୟକ ଶ୍ରୀ ଦାସ ଏହି ଅବସରରେ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ସତ୍ୟ ଦାସ, ଯଯାତି ଦାସ, କାଉନସିଲର ରଞ୍ଜିତା ମହାପାତ୍ର, ମୀନା ମହାନ୍ତି, କାର୍ତିକ ସାହୁ, ଶେଖ ଆୟୁବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ସ୍ୱର୍ଗତ ବିଜୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଜେଡି ସଦର ଶାଖା ପକ୍ଷରୁ ସକାଳେ ବାରବାଟୀରୁ ପ୍ରଭାରଫେରୀ ବାହାରି ସହର ପରିକ୍ରମା କରିଥିଲା । ପରେ ଗାନ୍ଧୀସ୍ମୃତି ଭବନ ପରିସରରୁ ସାଇକେଲ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଂଚଳ ପରିକ୍ରମା ସହ ଡିଆଇସି ଛକ ନିକଟରେ ପହଞ୍ଚିଥିଲା । ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ମୁଖ୍ୟ ଚିକିତ୍ସାଳୟର ରୋଗୀ, ରାଣୀପାଟଣା ଦୃଷ୍ଟହୀନଙ୍କ ନିମନ୍ତେ ବିଦ୍ୟାଳୟ, ମିଶନ କମ୍ପାଉଣ୍ଡ ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ, ବଣିଆମନ୍ଦିର ସ୍ଥିତପ୍ରୟାସ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରଭୃତିରେ ଛାତ୍ରଛାତ୍ରୀଙ୍କୁ ଫଳ, ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ, ଚାନ୍ଦମାରୀ ପଡିଆ ସ୍ଥିତ ବୃଦ୍ଧାଶ୍ରମ ଏବଂ ବାଲିଆ କପିଳ ମୁନୀ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା । ସଂଧ୍ୟାରେ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଜେଡି ନେତାମାନେ ଯୋଗଦେଇ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ ଓ ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଅବଦାନକୁ ମନେ ପକାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ