ଜିଲା ପ୍ରଶାସନ ପକ୍ଷରୁ ଲୋକସେବା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବାଲେଶ୍ୱରରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଅଧ୍ୟକ୍ଷତା କରିବା ସହିତ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ତୃଣମୂଳସ୍ତରୀୟ ବିକାଶ ପ୍ରକ୍ରିୟାରେ ବିଜୁବାବୁଙ୍କ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆଶାତୀତ ସଂସ୍କାର ଆଣିପାରିଥିବା ମତବ୍ୟକ୍ତ କରିଥିଲେ । ବିଜୁ ପଟ୍ଟନାୟକଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା ଓଡ଼ିଶାର ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶରେ ବିଶେଷ ସହାୟକ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ କାର୍ଯ୍ୟକାରୀ ପଞ୍ଚାୟତିରାଜ ବ୍ୟବସ୍ଥାର ଉପାଦେୟତା ଓ ବିଜୁ ବାବୁଙ୍କୁ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାରେ ପଂଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟକାରିତାର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । , ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଏଥିରେ ସ୍ୱାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଡିଏସଡବ୍ଲୁଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


