ବିଜୁ କନ୍ୟାରତ୍ନ ଆଭିମୁଖ୍ୟ ତାଲିମ ଶିବିର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଛତ୍ରପୁର ଗଞ୍ଜାମ ଆନୁକୂଲ୍ୟରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଜନ ପ୍ରତିନିଧିଙ୍କ ଲାଗି ବିଜୁ କନ୍ୟାରତ୍ନ ଆଭିମୁଖ୍ୟ ସମ୍ବନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ସଂଯୋଜକ ଶିଵ ପ୍ରସାଦ ରଥ, ଜିଲ୍ଲା ଶିଶୁ ସୁରକ୍ଷା ପ୍ରଶିକ୍ଷକ ତଥା ଜୁଭେନାଇଲ କୋର୍ଟ ସଦସ୍ୟ ଅମୀୟ କୁମାର ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ କନ୍ୟାରତ୍ନ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଉଦ୍ଧିଷ୍ଟ ବ୍ୟବସ୍ଥା,ମୁଖ୍ୟ ଉଦ୍ଦେଶ୍ୟ ଓ ଏ ସମ୍ପର୍କରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ସଚେତନତା ସମ୍ବନ୍ଧରେ ଅତିଥିମାନେ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। କନ୍ୟା ରତ୍ନ ବଞ୍ଚିରହିବା ଏବଂ ସେମାନଙ୍କର ବିକାଶ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରିବା, ସେମାନଙ୍କର ସମ୍ମାନ ବଜାୟ ରଖିବା, ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ବାସ୍ଥ୍ୟ, ପୃଷ୍ଟି , ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରାଇବା, କନ୍ୟା ସନ୍ତାନ ବିଦ୍ୟାଳୟକୁ ଯିବା ସହିତ ଉପସ୍ଥାନ ବୃଦ୍ଧି ଦିଗରେ ଦୃଷ୍ଟି ଦେବା, ସେମାନଙ୍କ ମତ ପ୍ରକାଶ ଓ ସମସ୍ତ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ ସହ ସଫଳତା ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମତ ପ୍ରକାଶ ପାଇଥିଲା। ଗ୍ରାମ୍ୟ ସ୍ତରରେ ଶିଶୁ କନ୍ୟା, କିଶୋରୀ ଓ ମହିଳାଙ୍କ ସଶକ୍ତିକରଣ,ସୁଦୃଢ ନିମନ୍ତେ ଜନ ପ୍ରତିନିଧିଙ୍କ ସହଯୋଗ,ସମନ୍ୱୟ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟାଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ