ବିଶ୍ୱ କଳାମୋତିଆ (ଗ୍ଲକମା) ସପ୍ତାହ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ କଳାମୋତିଆ(ଗ୍ଲକମା) ସପ୍ତାହ ପାଳିତ ହୋଇଯାଇଛି । ମାର୍ଚ୍ଚ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ବିଶ୍ୱ କଳାମୋତିଆ ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜାବାବର ବେଗ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଚକ୍ଷୁ ବିଶେଷଜ୍ଞ ଡା. ମଞ୍ଜୁଶ୍ରୀ ପାଣିଗ୍ରାହୀ, ଜିଲ୍ଲା ଚକ୍ଷୁ ନିରାକରଣ ଅଧିକାରୀ ଡା. ପ୍ରଦୀପ କୁମାର ଦାଶ, ଡି.ପି.ଏମ. ଗିତାଞ୍ଜଳୀ ପାଣି, ଅବସରପ୍ରାପ୍ତ ପଞ୍ଚାୟତ ଅଧିକାରୀ ପୀତାମ୍ବର ଦାସ, ଅବସରପ୍ରାପ୍ତ ସ୍କୁଲ ନୀରିକ୍ଷକ ହେମନ୍ତ କୁମାର ଜେନା, ବରିଷ୍ଠ ନାଗରିକ ତଥା କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା, ନର୍ସିଂ ସ୍କୁଲର ଛାତ୍ରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଚକ୍ଷୁ ଯୋଗୁଁ ମଣିଷ ସୁନ୍ଦର ପୃଥିବୀ ଦେଖିପାରେ । ବରିଷ୍ଠ ନଗରିକ ଯଥା ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକମାନେ ଡାଇବେଟିସ, ବ୍ଲଡ୍ ପ୍ରେସର, ବାର୍ଦ୍ଧକ୍ୟ ଜନିତ ରୋଗ, ବଂଶଗତ ରୋଗ ଯୋଗୁଁ ଓ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ଷ୍ଟେରଏଡ୍ ବଟିକା ସେବନ, ସମୀପ ଦୃଷ୍ଟି ଦୋଷ ଯୋଗୁଁ ଚକ୍ଷୁ ଜନିତ ରୋଗର ଶିକାର ହୋଇଥାନ୍ତି ବୋଲି ବିଶେଷଜ୍ଞ ଡାକ୍ତରମାନେ ଆଲୋଚନା କରିଥିଲେ । ଚକ୍ଷୁ ବିଶେଷଜ୍ଞ ଡା. ପାଣିଗ୍ରାହୀ ଚକ୍ଷୁଜନିତ ରୋଗର କାରଣ ଓ ନିରାକରଣ ବିଷୟରେ ସବିଶେଷ ତଥ୍ୟ ବୃତ୍ତଚିତ୍ର ମାଧ୍ୟମରେ ଉପସ୍ଥାପନା କରିଥିଲେ । ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକମାନେ ଏହି କଳାମୋତିଆ(ଗ୍ଲକମା) ରୋଗର ଶିକାର ହୋଇ ଦୃଷ୍ଟିଶକ୍ତି ହରାଇଥାନ୍ତି । ଏହାର ପ୍ରାରମ୍ଭିକ ସମୟରେ ଚିକିତ୍ସା କଲେ ଏହି ରୋଗରୁ ମୁକ୍ତି ମିଳିପାରିବ । ପ୍ରତି ୬ ମାସରେ ଚକ୍ଷୁ ପରୀକ୍ଷା କରିଲେ ଏହାକୁ ନିରାକରଣ କରାଯାଇପାରେ ବୋଲି ଡା. ବେଗ ପ୍ରକାଶ କରିଥିଲେ । ଆଖିରେ ଅତ୍ୟଧିକ ଚାପ ଓ ପୂର୍ବରୁ ଆଖି ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ଏହି ରୋଗ ଦେଖାଯାଏ । ତେଣୁ ସଚେତନାର ଆବଶ୍ୟକତା ରହିଛି ବୋଲି ଡା.ସଚ୍ଚିଦାନନ୍ଦ ମିଶ୍ର ମତବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା. ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସ।।ଳୟରେ ଉପଲବ୍ଧ ଆଧୁନିକ ଚକ୍ଷୁ ଚିକିତ୍ସା ବିଷୟରେ ବକ୍ତବ୍ୟ ରଖିଥିଲେ । ବୈଠକ ପରିଚାଳନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତ୍ତା ଶ୍ୟାମସୁନ୍ଦର ବିଶ୍ୱାଳ ଓ ରମାକାନ୍ତ ନାୟକ ସହଯୋଗ କରିଥିବା ବେଳେ ଶେଷରେ ଡି.ପି.ଏଚ.ସି.ଓ. ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ