ଖଇରାରେ ୩ ପୋଲ ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ବାଲେଶ୍ୱର, (ସରୋଜ ପଣ୍ଡା):ଖଇରା ବ୍ଲକର ଶୋଚନୀୟ ରାସ୍ତାଘାଟ ଓ ଆବଶ୍ୟକ ପୋଲ ନିର୍ମାଣ ଦାବିରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି । ବିଶେଷ କରି ତୁଡ଼ିଗଡ଼ିଆରୁ ଆନନ୍ଦପୁର ରାସ୍ତାର କାଂଶବାଂଶ ନଦୀରେ ପୋଲ ନଥିବା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ମହତିପୁରରୁ ଭଦ୍ରକ ଜିଲା ଚରମ୍ପାକୁ ସଂଯୋଗ କରୁଥିବା ରାସ୍ତାର କାଂଶବାଂଶ ନଦୀର ପୋଲ ସାଙ୍ଗକୁ ଛାଞ୍ଚୁଣିଆ ନାଳରେ ଏକ ପୋଲ ନିର୍ମାଣର ଆବଶ୍ୟକତା ସମ୍ପର୍କରେ ଶ୍ରୀ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି । ପ୍ରତିଦିନ ହଜାର ହଜାର ଲୋକ ଯା’ଆସ କରୁଥିବା ରାସ୍ତାର ପୋଲ ନିର୍ମାଣ ବାବଦରେ ଉଚିତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି । ଜନସେବାରେ ସକ୍ରିୟ ଥିବା ଶ୍ରୀ ପଣ୍ଡାଙ୍କର ଏତାଦୃଶ କାର୍ଯ୍ୟକୁ ଖଇରା ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି ।