ଆକ୍ରମଣକାରୀଙ୍କୁ ଧରୁନି ପୁଲିସ, ଜିଲାପାଳଙ୍କଠାରେ ମହିଳାଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା):ହୋଲି ସଂଧ୍ୟାରେ ଡିଗିରହଣିଆ ଅଞ୍ଚଳର ପ୍ରଦୀପ ବିନ୍ଧାଣୀଙ୍କୁ କରାଯାଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ପୁଲିସର କାଳକ୍ଷେପଣ ନୀତିକୁ ନେଇ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ତାଙ୍କ ପତ୍ନୀ ଜୟନ୍ତୀ ବିନ୍ଧାଣୀ । ତାଙ୍କ ଆପତ୍ତି ଅନୁସାରେ ବିନା କାରଣରେ ହୋଲି ସଂଧ୍ୟାରେ କେତେକ ଯୁବକ ତାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏ ସମ୍ପର୍କରେ ସେ ଥାନାରେ ଏତଲା ଦେଇଥିଲେ ବି ପୁଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରୁ ନଥିବା ଶ୍ରୀମତୀ ବିନ୍ଧାଣୀ ଆରୋପ କରିଛନ୍ତି । ଏନେଇ ସେ ଆଗାମୀ ଦିନରେ ଧାରଣା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।


