ରାଜନୀତି ପଶାପାଲି ରେ ବ୍ଲକକାର୍ଯ୍ୟାଳୟ ବିଲପାସ କୁ ନେଇ କନିଷ୍ଠ ଯନ୍ତ୍ରୀ ଙ୍କୁ ଆକ୍ରମଣ ଅଭିଯୋଗ ପୋଲିସର ତଦନ୍ତଜାରୀ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଦୀର୍ଘଦିନରୁ ଜାରୀ ଦଳୀୟ ଗୋଷ୍ଠିବିବାଦ ଫଳସ୍ୱରୂପ ଏବେ ବ୍ଲକରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ବ୍ଲକ ରେ ରାଜ୍ୟସରକାର ଙ୍କ ବିଭିନ୍ନ ଯୋଜନା ରେ ହେଉଥିବା ଉନ୍ନୟନ କାର୍ଯ୍ୟ ଏକପ୍ରକାର ବନ୍ଦ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳ ରେ ଆଲୋଚନାର ବିଷୟ ପାଲଟିଛି।ସୂଚନା ମୁତାବକ ଗତ ୧୪ ତାରିଖ ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ବହୁସମୟରୁ ଠିକାକାମ ର ବିଲ ବକେୟା ରହିଥିବାରୁ କାମର ବିଲ ବିଷୟରେ ଆଲୋଚନା କରିବାକୁ ଦୁଇଜଣ ସମିତିସଭ୍ୟ ଙ୍କ ସମେତ ୬ ଜଣ ବ୍ଲକ କାର୍ଯ୍ୟାଳୟ ରେ ଥିବା ଜିପିଇଓ ଙ୍କୁ ଉକ୍ତ କାମର ବିଲ ବିଷୟରେ ପଚାରିବୁଝିଥିଲେ ଉକ୍ତ ବିଲ ବିଷୟରେ ଜିପିଇଓ କିମ୍ବା କନିଷ୍ଠ ଯନ୍ତ୍ରୀ କୌଣସି ସୂଚନା ଦେଇନଥିଲେ କିମ୍ବା ଉକ୍ତ କାର୍ଯ୍ୟର ଫାଇଲ ମଧ୍ୟ ତାଙ୍କ ନିକଟରେ ନଥିବା କହିଥିଲେ ଏହାଦ୍ୱାରା ଉଭୟ ପକ୍ଷ ଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଏହାର ସମାଧାନ ନିମନ୍ତେ ପ୍ରୟାସ ମଧ୍ୟ ହୋଇଥିଲା କିନ୍ତୁ ଏହାର କୌଣସି ସୁଫଳ ମିଳିନଥିଲାପରେ କୌଣସି ଚାପ ଫଳରେ କନିଷ୍ଠ ଯନ୍ତ୍ରୀ ଓ ବ୍ଲକ କର୍ମଚାରୀ ବିଡ଼ିଓ ଙ୍କୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ଏବଂ ଏହା ନହେଲେ ୧୬ ତାରିଖ ରୁ ସମୂହ କଲମଛାଡ଼ ଆନ୍ଦୋଳନ କରିବାକୁ ସମସ୍ତ କର୍ମଚାରୀ ଙ୍କ ଦସ୍ତଖତ ସମ୍ବଳିତ ଏକ ପତ୍ର ସନ୍ଧ୍ୟା ସମୟରେ ପ୍ରଦାନ କରିଥିଲେ। କର୍ମଚାରୀ ଙ୍କ ଦାବୀ କୁ ନେଇ ବିଡ଼ିଓ ରାତ୍ର ପ୍ରାୟ ୯ ଘଟିକା ସମୟରେ ଉକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଅଭିଯୋଗ ପତ୍ର କୁ ଠାକୁରମୁଣ୍ଡା ଥାନା କୁ ପଠାଇ ଏକ ଏତଲା ପ୍ରଦାନ କରିଥିଲେ।କନିଷ୍ଠ ଯନ୍ତ୍ରୀ ଙ୍କ ଅଭିଯୋଗ କ୍ରମେ ଠାକୁରମୁଣ୍ଡା ଥାନା ପୋଲିସ କେଶ ନଂ ୩୭/୨୩ ରେ ଏକ ମାମଲା ରୁଜ୍ଜୁ କରିଥିଲେ।ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ଠାକୁରମୁଣ୍ଡା ଥାନା ଅଧିକାରିଣୀ ରଞ୍ଜୁ ହାସିନ୍ କୁଲୁଙ୍କ ସହିତ ବ୍ଲକରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ
୧୬ ତାରିଖ ଦିନ ବିଡ଼ିଓ ବ୍ଲକରେ ଅନୁପସ୍ଥିତି ଥିବାବେଳେ ଫୋନ ମଧ୍ୟ ଉଠାଇନଥିଲେ ଓ ଅଭିଯୋଗ କାରୀ କନିଷ୍ଠ ଯନ୍ତ୍ରୀ ମଧ୍ୟ ଘଟଣା ବିଷୟରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ଏଣୁ ବିଡ଼ିଓ କିମ୍ବା କନିଷ୍ଠ ଯନ୍ତ୍ରୀ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।ଅନ୍ୟ ପଟରେ କନିଷ୍ଠ ଯନ୍ତ୍ରୀ ଏତଲା ଦେଇଥିବା ବ୍ୟକ୍ତିମାନେ ଘଟଣା କୁ ଖଣ୍ଡନ କରିବା ସହିତ ନିଜ ପ୍ରତିକ୍ରିୟା ରେ କହିଛନ୍ତି କି, ଦୀର୍ଘ ସମୟହେଲା ଉକ୍ତ ଠିକାଦାର ମାନେ ଧାର କରଜ କରି କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ତାଙ୍କ ବିଲ ପାସ କରୁନାହାନ୍ତି | ବାରମ୍ବାର ଆଜି ଆସ କାଲି ଆସ କହି ସମୟ ଗଡାଉଛନ୍ତି | ବିଭିନ୍ନ ଲୋକଙ୍କଠାରୁ କରଜ କରି ନିର୍ମାଣ ସାମଗ୍ରୀ ଆଣି କାମ ସ୍ୱମ୍ପୂର୍ଣ କରିସାରିଥିଲେ ମଧ୍ୟ ବିଲ ପାସ ହେଉନାହିଁ ଯାହାଦ୍ୱାରା ସେମାନେ ଆର୍ଥିକ ଓ ମାନସିକ ଚାପରେ ରହିଛନ୍ତି ଏପରିକି ଶ୍ରମିକ ଙ୍କ ପାରିଶ୍ରମିକ ମଧ୍ୟ ପ୍ରଦାନ କରିପାରୁନାହାନ୍ତି |ଏଣୁ ଏତେ ସମୟ ପରେ ମଧ୍ୟ ବିଲ ପାସ ହେଉନଥିବାରୁ କାହିଁକି ବିଲ ପାସ ହେଉନାହିଁ ତାହା ବୁଝିବାକୁ ବ୍ଲକ କାର୍ଯ୍ୟାଳୟ କୁ ଯାଇଥିବା ସମୟରେ କୌଣସି ସ୍ପଷ୍ଟ ଉତ୍ତର ନମିଳିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା କିନ୍ତୁ କୌଣସି ପ୍ରକାର ମାରପିଟ ବା ଭଙ୍ଗାରୁଜ୍ଜା ହୋଇନାହିଁ ବୋଲି ପ୍ରକାଶ କରିବାସହିତ ଏହା ସ୍ୱମ୍ପୂର୍ଣ ରାଜନୈତିକ ଉଦେଶ୍ୟ ରେ କନିଷ୍ଠ ଯନ୍ତ୍ରୀ ଙ୍କୁ ବ୍ୟବହାର କରାଯାଇଛି ବୋଲି ପ୍ରକାଶ କରିଛନ୍ତି।ଏ ଘଟଣା ରେ ବିଡ଼ିଓ ବା ଅଭିଯୋଗକାରୀ କନିଷ୍ଠ ଯନ୍ତ୍ରୀ କିମ୍ବା କୌଣସି କର୍ମଚାରୀ ପ୍ରତିକ୍ରିୟା ଦେଇନଥିବା ବେଳେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଉକ୍ତ ବ୍ୟକ୍ତି ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି।ଦୀର୍ଘ ଦିନରୁ ଚାଲିଆସିଥିବା ଦଳୀୟ ଗୋଷ୍ଠି ବିବାଦ ଫଳରେ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରଭାବିତ ହେଉଅଛି। ପୋଲିସ ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ଅଞ୍ଚଳବାସୀ ଆଶାବାସୀ ଅଛନ୍ତି।


