ଟଙ୍କା ନେଇଗଲା ପିଇଓ, ଭତ୍ତା ହିତାଧିକାରୀ ଜଳକା

ହାଟଡିହି, (ବିକାଶ ବିଶ୍ୱାଳ):ଭତ୍ତା ପାିଁ ସରକାର ଯୋଗାଇଦେଲେ ଟଙ୍କା, ଟଙ୍କା ଗଲା ପଞ୍ଚାୟତକୁ, କିନ୍ତୁ ଟଙ୍କା ଉଠାଇ ନେଇ କେଉଁଆଡେ ପଳାଇଲେ ପିଇଓ । ଫଳରେ ଦୁଇମାସ ହେଲା ଭତ୍ତା ହିତାଧିକାରୀମାନେ ଟଙ୍କା ନପାଇ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ । ଏହି ପଞ୍ଚାୟତଟି ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ହେରଫେରକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏହାର ପୁର୍ବତନ ପିଇଓ, ସରପଞ୍ଚ, ଓ ଜିଆରଏସଙ୍କ ନାମରେ ମାମଲା ରୁଜୁହେବା ସହ ପୁର୍ବତନ ପିଇଓ ଗିରଫ ମଧ୍ୟ ହୋଇଥିଲେ । କିନ୍ତୁ ପଞ୍ଚାୟତରେ ଏତେସବୁ କାରନାମା ପରେ ମଧ୍ୟ ସରକାରୀ ବାବୁମାନେ ଏଥିରୁ କିଛି ଶିକ୍ଷାଲାଭ କରିନଥିବା ଲାଗୁଛି । ଯାହାକି ବର୍ତ୍ତମାନର ପିଇଓଙ୍କ କାର୍ଯ୍ୟକଳାପରୁ ଷ୍ପଷ୍ଟ ଅନୁମେୟ । ବର୍ତ୍ତମାନର ପିଇଓ ଅମୀୟ ମାଝୀ ପଞ୍ଚାୟତକୁ ଆସିଥିବା ହିତାଧିକାରୀଙ୍କ ଟଙ୍କାକୁ ଉଠାଇ ନେଇ ଲୋକଙ୍କୁ ନବାଣ୍ଟି କେଉଁଆଡେ ପଳାଇଥିବାରୁ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆଜି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହି ପଞ୍ଚାୟତର ରାମକୃଷ୍ଣପୁର ଗ୍ରାମର ବିଜୁଳି ପଣ୍ଡା, ବିଜୁଳି ନାହାକ, ଗୁଣାକର ନାହାକ, ସତ୍ୟଭାମା ନାୟକ, ନୟନା ପଣ୍ଡା, କାହ୍ନୁ ନାୟକ, ଅଜୁ ନାହାକ, ହାଉଡି କର, ମିନତୀ କର, ଚିନ୍ତାମଣି କର, ବିଦ୍ୟାଧରପୁର ଗ୍ରାମର ତୁଳସୀ ଜେନା, ନିରଞ୍ଜନ ଦେହୁରୀ, ନୁଆଗାଁ ଗ୍ରାମର ଭିନ୍ନକ୍ଷମ ସତ୍ୟବ୍ରତ ପଣ୍ଡିତ, ସାରୁକୋଣା ଗ୍ରାମର ଶଶିକଳା ପଣ୍ଡାଙ୍କ ସମେତ ଅନେକ ହିତାଧିକାରୀ ପ୍ରମୁଖ ଗତ ଫେବୃୟାରୀ ମାସର ଭତ୍ତା ଟଙ୍କା ପାଇନଥିବାବେଳେ ଆହୁରି ଅନେକ ବ୍ୟକ୍ତି ଗତ ଜାନୁୟାରୀ ଓ ଫେବୃୟାରୀ ମାସର ଭତ୍ତା ଟଙ୍କା ପାଇ ନାହାନ୍ତି । ସେମାନେ ବାରମ୍ବାର ପଞ୍ଚାୟତକୁ ଆସି ନିରାଶରେ ଫେରିବାପରେ ଆଜି ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଭତ୍ତା ପାଇନଥିବା ଶତାଧିକ ହିତାଧିକାରୀ ଆସି ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଖବରପାଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସରପଞ୍ଚଙ୍କ ପ୍ରତିନିଧି ଅଜୟ ଘଡେଇ, ସମିତିସଭ୍ୟା ଦମୟନ୍ତୀ ଜେନାଙ୍କ ସହିତ ଅନେକ ପଞ୍ଚାୟତର ବରିଷ୍ଠ ନାଗରିକ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରାଇବା ସହିତ କିପରି ସେମାନଙ୍କୁ ତୁରନ୍ତ ଭତ୍ତା ଟଙ୍କା ମିଳିପାରିବ ସେନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି କହିବାପରେ ଲୋକମାନେ ଆନେ୍ଦାଳନରୁ ହଟିଥିଲେ । ଏ ସମ୍ପର୍କରେ ସରପଞ୍ଚ ହରପ୍ରୀୟା ଦଣ୍ଡପାଟଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତ ଫେବୃୟାରୀ ୧୮ତାରିଖ ଦିନ ପିଇଓ ଆସି ଏକ ଲକ୍ଷ ତିରିଶ ହଜାର ଟଙ୍କାର ଚେକରେ ମୋ ପାଖରୁ ଦସ୍ତଖତ ନେଇ ଟଙ୍କା ଉଠାଇଥିଲେ । ସେ ମାତ୍ର ଅଳ୍ପ କିଛି ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଥିବା ମୁଁ ଜାଣିଛି । କିନ୍ତୁ ତାଙ୍କର ଆଉ କିଛି ଯୋଗାଯୋଗ ନାହିଁ । ଏ ସମ୍ପର୍କରେ ପିଇଓଙ୍କ ଟେଲିଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସୁଇଜ ଅଫ ଥିବାରୁ ତାଙ୍କ ମତାମତ ନିଆଯାଇପାରି ନାହିଁ । ଏ ସମ୍ପର୍କରେ ପଞ୍ଚାୟତ ଅଧିକାରୀ ଶରତ କୁମାର ବେଜଙ୍କୁ ପଚାରିବାରେ ବାଲିବରେଇ ପଞ୍ଚାୟତର ପିଇଓ ଗତ କିଛିଦିନ ହେଲା ବ୍ଲକକୁ ଆସୁ ନାହାନ୍ତି । ତାଙ୍କ ଫୋନ ସୁଇଜ ଅଫ ଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ