ପ୍ରଦୂଷଣମୁକ୍ତ ଦୟା ପାଇଁ ଜନ ଆନ୍ଦୋଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ ସହ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରର ମୁକସାକ୍ଷୀ ଓ ଐତିହାସିକ କିମ୍ବଦନ୍ତୀ ପୂଣ୍ୟତୋୟା ଦୟାନଦୀ ଆଜି ପ୍ରଦୂଷଣରେ ଜର୍ଜରିତ । ଭୁବନେଶ୍ୱର ସହରର ସମସ୍ତ ବର୍ଜ୍ୟବସ୍ତୁ ଗଙ୍ଗୁଆ ଦ୍ୱାରା ଦୟାନଦୀରେ ମିଶି ଅତ୍ୟନ୍ତ ବିଷାକ୍ତ ହେବା ସହିତ ଓଡ଼ିଶାର ଅନ୍ୟତମ ପ୍ରାକୃତିକ ଐଶ୍ୱର୍ଯ୍ୟ ଚିଲିକାକୁ ମଧ୍ୟ ପ୍ରଦୂଷିତ କରିଚାଲିଛି । ଏହି ସ୍ପର୍ଶକାତର ଓ ସମ୍ବେଦନଶୀଳ ସମସ୍ୟା ସମ୍ପର୍କରେ ଦୟାନଦୀର ପ୍ରଦୂଷଣମୂକ୍ତ ଓ ସୁରକ୍ଷା ଶୀର୍ଷକ ଏକ ବିଶେଷ ଆଲୋଚନାଚକ୍ର ଦୟା ରାଉଣ୍ଡ ଟେବୁଲ ଆବାହକ ସଚ୍ଚିକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ରବିବାର ଦିନ ଲୋହିଆ ଭବନରେ ଅନୁଷ୍ଠିତ ହୋଇଯାଇଛି । ଦୟା ସୁରକ୍ଷା ଅଭିଯାନ, ମହାନଦୀ ବଞ୍ଚାଅ ଆନ୍ଦୋଳନ, ଓଡ଼ିଶା ନଦୀ ସୁରକ୍ଷା ସମିତି, ଲୋକଶକ୍ତି ଅଭିଯାନ, ନିର୍ମଳ ଦୟା, ସଂଯୁକ୍ତ କୃଷକ ମଞ୍ଚ, ପିପିଲି ସାଂସ୍କୃତିକ ପରିଷଦ ସହ ଅନେକ ସାମାଜିକ ଅନୁଷ୍ଠାନଙ୍କ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ଭୁବନେଶ୍ୱର ସହର ଦେଇ ବହି ଯାଇଥିବା ଗନ୍ଧବଦୀ ନଦୀ ବା ଆଜିର ଗଙ୍ଗୁଆ ନାଳର ସମସ୍ତ ୨୨ଗୋଟି ଜଳଉତ୍ସ ଆଜି ସହରର ସମସ୍ତ ବର୍ଜ୍ୟବସ୍ତୁକୁ ପ୍ରଦୂଷିତ ଜଳ ମାଧ୍ୟମରେ ନେଇ ୧୦ଟି ବଡ଼ ଡ୍ରେନରେ ଦୟାନଦୀରେ ମିଶି ପ୍ରଚୁର ମାତ୍ରାରେ ପ୍ରଦୂଷଣ ସୃଷ୍ଟି କରୁଛି । ଦିନେ ଦୟାନଦୀର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ପ୍ରାୟ ଦଶଗୋଟି ବ୍ଲକର ଏହି ପ୍ରଦୂଷିତ ଜଳ ସର୍ବନିମ୍ନ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । ଏକଥା ଖୋଦ ରାଜ୍ୟ ସରକାର ଅବଗତ ଥାଇ ମଧ୍ୟ ଏହି ପ୍ରଦୂଷିତ ଜଳକୁ ପାଇପ ଓ ଟ୍ୟାଙ୍କର ଯୋଗେ ଅବିଭକ୍ତ ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, କଣାସ ଓ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକ, ଟାଙ୍ଗୀ, ଚାନ୍ଦପୁର, ନୟାଗଡ଼ ଜିଲ୍ଲାର କନ୍ଧ ନୟାଗଡ଼ ଆଦି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଉଛି । ଏହି ଯୋଗାଣ ପାଣିକୁ ବ୍ୟବହାର କରୁଥିବା ଲୋକମାନଙ୍କର ଜଣ୍ଡିସ ପରି ବିଭିନ୍ନ ସଂକ୍ରମିତ ପେଟ ରୋଗ ଏବଂ ଚର୍ମରୋଗ ହେଉଅଛି । ଏହାକୁ ନେଇ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା ।୧୦ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ସେହି ଜଳକୁ ଛୁଇଁବାକୁ ମଧ୍ୟ ସାହସ କରୁନାହାଁନ୍ତି । ଏଥିସହିତ କୃଷି, ପଶୁପାଳନ, ମାଛ ଉତ୍ପାଦନ ସମ୍ପୂର୍ଣ୍ଣ ବ୍ୟାହତ ହେବା ସହିତ ବର୍ଷାଦିନେ ମାନବକୃତ ବନ୍ୟାରେ ଜର୍ଜରିତ ହେଉଅଛି । ଦିନେ ଶସ୍ୟ ଶ୍ୟାମଳା ଥିବା ବ୍ୟାପକ ଚାଷଜମି ବର୍ଷାରେ ଅଧା ସମୟ ବୁଡ଼ି ଅଞ୍ଚଳ ଭାବେ ଆଖ୍ୟା ପାଇସାରିଲାଣି । ଏହି ଉତ୍କଟ ସମସ୍ୟାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ଏହିସବୁର ମୂଳ କାରଣ ହେଉଛି ପ୍ରଦୂଷିତ ଗଙ୍ଗୁଆ । ଗଙ୍ଗୁଆର ସବୁ ଜଳଉତ୍ସର ପରିସୀମାରେ ବ୍ୟାପକ ଅନୁରୋଧ, ଘରୋଇ ଅନୁଷ୍ଠାନ, ମେଡ଼ିକାଲ, ଶିଳ୍ପ ଆଦିର ବର୍ଜ୍ୟବସ୍ତୁର ସିଧାସଳଖ ନିଷ୍କାସନ, କଙ୍କ୍ରିଟ ଆବର୍ଜନା ତଥା ନିର୍ମାଣ କାର୍ଯ୍ୟ ଆଦି ଏହି ସମସ୍ୟାର ପ୍ରମୁଖ କାରଣ । ତେଣୁ ଏହି ଆଲୋଚନାରେ ଗଙ୍ଗୁଆ ନାଳରୁ ଗନ୍ଧବତୀ ନଦୀର ପୁନଃ ନାମକରଣ, ସମସ୍ତ ୨୨ଟି ଜଳଉତ୍ସର ସୀମା ଚିହ୍ନଟ, ୨୦୦୯ ମସିହାରେ ଦୟା ଗଙ୍ଗୁଆ ପାଇଁ ହୋଇଥିବା ଯୋଜନାର ସବିଶେଷ ବିବରଣୀ ସହିତ କାର୍ଯ୍ୟାନୁଷ୍ଠାନର ଶ୍ୱେତପତ୍ର ପ୍ରଦାନ, ୨୦୧୮ ମସିହାରେ ଗଙ୍ଗୁଆ ବର୍ଜ୍ୟଜଳ ପରିଚାଳନା ପାଇଁ ହୋଇଥିବା ସବିଶେଷ ପ୍ରକଳ୍ପ ତଥ୍ୟ ପ୍ରଦାନ, ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ତଥା ସମସ୍ୟାର ସମାଧାନ ପାଇଁ ବୈଷୟିକ ବିଶେଷଜ୍ଞ ଚିନ୍ତନ ବୈଠକ, ଆଇନଗତ ଲଢେଇ, ଜନଚସେଚତନତା ସହିତ ଜନ ଆନ୍ଦୋଳନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସମାଜବାଦୀ ପାର୍ଟିର ସମ୍ପାଦକ ସୁଦର୍ଶନ ପ୍ରଧାନ, ସଂଯୁକ୍ତ କୃଷକ ମୋର୍ଚ୍ଚାର ଅଶୋକ ପ୍ରଧାନ, ସୂଚନା ଅଧିକାର ଅଭିଯାନର ପ୍ରଦୀପ ପ୍ରଧାନ, ସୁଦର୍ଶନ ପ୍ରଧାନ, ଅଶୋକ ପ୍ରଧାନ, ଲୋହିଆ ଏକାଡ଼େମୀ ସମ୍ପାଦକ ଦେବେନ୍ଦ୍ର ରାୟ, ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଗଦାଧର ପ୍ରଧାନ, ଭିଟାମାଟି ସୁରକ୍ଷାର ଅରୁଣ ଜେନା, ସୁକାନ୍ତ ସାମନ୍ତରାୟ, ଆଦିକନ୍ଦ ଶ୍ରୀଚନ୍ଦନ, ଭାସ୍କର ଚନ୍ଦ୍ର ସାହୁ, ରମେଶ ମହାପାତ୍ର, ଅରୁଣ ସାମନ୍ତରାୟ, ଅର୍ଜୁନ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଯୁଧିଷ୍ଠିର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବିଜୟ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ଦୟାନଦୀ ଜଳ ପ୍ରଦୂଷଣ ଓ ଜବରଦଖଲକୁ ରୋକିବା ନିମନ୍ତେ ଏକ ଷ୍ଟିୟରିଂ କମିଟି ଗଠନ ସହ ଆଲୋଚନାଚକ୍ରରେ ପ୍ରସ୍ତୁତ ହୋଇଥିବା ୧୦ଦଫା ଦାବି ଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବ୍ୟାପକ ଆନ୍ଦୋଳନ, ଧାରଣା, ଧର୍ମଘଟ, ଆଇନଗତ ଲଢେଇ କରାଯିବ ବୋଲି ସମସ୍ତ ସଦସ୍ୟ ସହମତି ସହିତ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ