ଆଜି ବିଶ୍ୱ ଘରଚଟିଆ ଦିବସ ବିନାଶ ମୁହଁରେ ଘରଚଟିଆ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ବିଶ୍ୱ ଘରଚଟିଆ ଦିବସ । ବିଲୁପ୍ତ ହେବାକୁ ବସିଥିବା ଏହି କ୍ଷୁଦ୍ର ପକ୍ଷୀଟିକୁ ସୁରକ୍ଷା ଦେବା ଲାଗି ପ୍ରତିବର୍ଷ ମାର୍ଚ୍ଚମାସ ୨୦ ତାରିଖଟିକୁ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଜନସଚେତନତା ଉଦ୍ଦେଶ୍ୟରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍ ସୁଶାନ୍ତ ସାହୁ ସାରା ବିଶ୍ୱକୁ ଦେଇଛନ୍ତି ଏକ ନିଆରା ବାର୍ତ୍ତା । କାଗଜ, ଅଠା ଓ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟବହାର କରି ତିଆରିଛନ୍ତି ଏକ ସୁନ୍ଦର ଆକର୍ଷଣୀୟ ଚାଳ ଛପର ଘର । ଘର ଚାରିପାଖ ଘୁରି ବୁଲୁଛନ୍ତି ପ୍ରକୃତିର ଅନବଦ୍ୟ ସୃଷ୍ଟି ଏହି ଘରଚଟିଆ ପକ୍ଷୀ । ଯାହା ସେମାନଙ୍କର ଅତି ପ୍ରିୟ ବାସସ୍ଥାନ । ଏହି କ୍ଷୁଦ୍ର ପକ୍ଷୀର ବଂଶକୁ ବଞ୍ଚାଇବା ଲାଗି କୃତ୍ରିମ ଘରର ବ୍ୟବସ୍ଥା ସହ ଖାଦ୍ୟ ନିତ୍ୟାନ୍ତ ଜରୁରୀ ବୋଲି ଶ୍ରୀ ସାହୁ ଏହି ମାଧ୍ୟମରେ ଦର୍ଶାଇବାକୁ ପ୍ରୟାସ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ସାହୁ କୁହନ୍ତି ଦିନ ଥିଲା ଘରଚଟିଆର କିଚିରି ମିଚିରି ଶବ୍ଦରେ ନିଦ ଭାଙ୍ଗି ଯାଉଥିଲା । କିନ୍ତୁ ଆଉ ଶୁଭୁନାହିଁ ସେହି କିଚିରି ମିଚିରି ଶବ୍ଦ । ଚାଳଛପର ଘର ଓ ସୁରକ୍ଷିତ ଜଙ୍ଗଲର ଅଭାବ ଏହି ଘରଚଟିଆ ବଂଶ ହ୍ରାସର ମୁଖ୍ୟ କାରଣ । ତତ୍ସହିତ ଜଳବାୟୁ ପରିବର୍ତ୍ତନ, କଂକ୍ରିଟ୍ ଘର ନିର୍ମାଣ ଏହି ପକ୍ଷୀ ବିଲୁପ୍ତର ଅନ୍ୟ କାରଣ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି । ଘରଚଟିଆର ସୁରକ୍ଷା ପାଇଁ ପ୍ରତିଟି ସ୍ତରରେ ସମ୍ମିଳିତ ଉଦ୍ୟମ ଏକାନ୍ତ ଲୋଡ଼ା । ଏହାର ସୁରକ୍ଷା ପାଇଁ ପ୍ରତିଟି ମଣିଷ ସଂକଳ୍ପବଦ୍ଧ ଓ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ଲାଗି ସୁଶାନ୍ତ ଏହି ଦିବସରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।


