ମାନବ ଚାଲାଣ ଓ ସେକ୍ସ ର୍ୟାକେଟ ଠାବ
ବାଲେଶ୍ୱର, (ସରୋଜ ପଣ୍ଡା):ମାନବ ଚାଲାଣ ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟକଳାପରେ ବ୍ୟବହାର ଅଭିଯୋଗରେ ବାଲେଶ୍ୱର ପୁଲିସ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ୬ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ପଶ୍ଚିମବଙ୍ଗର ଏକ ସ୍ୱେଚ୍ଛାସେବୀ ସଂଗଠନଠାରୁ ସୂଚନା ପାଇ ଜିଲା ପୁଲିସ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଅପରେସନ ଏହି ଗିରଫଦାରୀ ଓ ଉଦ୍ଧାର କାର୍ଯ୍ୟ କରିଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁସାରେ ବସ୍ତା ଅଞ୍ଚଳଳରୁ ଉଦ୍ଧାର ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଯାଇଥିଲା । ଏନେଇ ବସ୍ତା ଅଞ୍ଚଳର ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି । ଏଥି ସହିତ ଅନୈତିକ କାର୍ଯ୍ୟରେ ଲଗାଇ ଅର୍ଥ ଉପାର୍ଜନ କରୁଥିବା ଅନ୍ୟଜଣେ ୨୮ ବର୍ଷର ଯୁବକକୁ ବି ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଏମିତିକି ସମ୍ପୃକ୍ତ ପୀଡ଼ିତା ଯୁବତୀଙ୍କୁ କେବଳ ବସ୍ତା ନୁହେଁ ବାଲେଶ୍ୱର ସହର ଉପକଣ୍ଠ ମେଘଡମ୍ବରୁ ଅଞ୍ଚଳରେ ରଖଯାଇ ଅନୈତିକ ବ୍ୟାପାରରେ ଲଗାଯାଉଥିବା ତଦନ୍ତରେ ଜଣାପଡ଼ିଛି । ବାଲେଶ୍ୱର ସଦର ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ମେଘଡମ୍ବରୁର ଏକ ଘରେ ଅନୈତିକ ବ୍ୟବସାୟ ଚଳାଉଥିବା ୨ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ଏସପି ଶ୍ରୀମତୀ ନାଥ କହିଛନ୍ତି । ସବୁଠାରୁ ବଡ଼କଥା ହେଲା ଏହି ସେକ୍ସ ର୍ୟାକେଟରେ ଅନ୍ୟଜଣେ ଯୁବତୀଙ୍କୁ ଖୋର୍ଦ୍ଧାରେ ନିୟୋଜିତ କରାଯାଇଥିବା ନେଇ ଉଦ୍ଧାର ଯୁବତୀଙ୍କଠାରୁ ସୂଚନା ମିଳିବା ପରେ ବାଲେଶ୍ୱର ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରିଛି । ସେଠାରୁ ମଧ୍ୟ ଜଣେ ୨୮ ବର୍ଷର ଯୁବକଙ୍କୁ ପୁଲିସ ଗିରଫ କରିଛି । ସେହିଭଳି ଓଡ଼ିଶାକୁ ଯୁବତୀ ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଏହି ବ୍ୟକ୍ତି ସହ ବାଲେଶ୍ୱରର ଅଭିଯୁକ୍ତମାନେ ଅର୍ଥ ନେଣଦେଣ କରୁଥିବା ପ୍ରମାଣ ମିଳିଛି ବୋଲି ଏସପି ପ୍ରକାଶ କରିଛନ୍ତି । ସେହିପରି ସିଂଲା ଥାନା ଅଞ୍ଚଳରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପରେ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଅପରେସନରେ ଉଦ୍ଧାର କରାଯାଇଥିବା ୬ଜଣ ଯୁବତୀଙ୍କ ମଧ୍ୟରୁ ଦୁଇଜଣ ବାଂଲାଦେଶର ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଜାଲ ଡକମେଣ୍ଟରେ ଯୁବତୀମାନଙ୍କ ପରିଚୟପତ୍ର ତିଆରି କରାଯାଇ ସେମାନଙ୍କୁ ବିଭିନ୍ନ ସ୍ଥାନରେ ରଖି ଏହି ବ୍ୟବସାୟ ଚାଲିଥିଲା । ସ୍ୱଚ୍ଛଳ ଜୀବନଯାପନ ସାଙ୍ଗକୁ ଅଧିକ ଉପାର୍ଜନର ଲୋଭ ଦେଖାଇ ଯୁବତୀମାନଙ୍କୁ ଏହିଭଳି ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଏସପି ପ୍ରକାଶ କରିଛନ୍ତି । ଏନେଇ ବସ୍ତା ଥାନା ପକ୍ଷରୁ ୮୧/୨୦୨୩ ଓ ସିଂଲା ଥାନା ପକ୍ଷରୁ ୪୮/୨୦୨୩ ଦୁଇଟି ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି । ସଦର ଏସଡିପିଓ ଡ. ଶଶାଙ୍କ ଶେଖର ବେହୁରା, ସଦର ଥାନା ଅଧିକାରୀ ଜୟନ୍ତ ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।