ରାହୁଳ ଗାନ୍ଧୀଙ୍କୁ ଦଣ୍ଡାଦେଶ ନେଇ କଂଗ୍ରେସର ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା):କୋର୍ଟ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କାରାଦଣ୍ଡ ଆଦେଶ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ ଚାଲିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ପରିଲକ୍ଷିତ ହୋଇଛି । ଜିଲା କଂଗ୍ରେସ କମିଟିି ପକ୍ଷରୁ ଶୁକ୍ରବାର ସହରର ଫକୀର ମୋହନ ଗୋଲେଇ ଠାରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଫକୀର ମୋହନ ଗୋଲେଇରେ ପହଞ୍ଚିଥିଲା । ସେଠାରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଦୁର୍ନୀତି ସମ୍ବଳିତ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରାଯାଇଥିଲା । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଆସନ୍ତା ସୋମବାର ଦିନ ମଧ୍ୟ ଏହି ପ୍ରତିବାଦ ଆହୁରି ଜୋରଦାର ହେବା ସହ ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଦୁର୍ନୀତପୂର୍ଣ୍ଣ କାର୍ଯ୍ୟଧାରା ସମ୍ପର୍କରେ ସଚେତନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲା ସଭାପତି ଶ୍ରୀ ଗିରି କହିଥିଲେ କି ନୀରବ ମୋଦିଙ୍କ ଠାରୁ ଆରମ୍ଭ କରି ଲଳିତ ମୋଦି ପର୍ଯ୍ୟନ୍ତ ମୋଟ ୨୩ ଜଣ ଗୁଜୁରାଟୀ ବ୍ୟକ୍ତିତ୍ୱ ଦେଶର ୧୭ଟି ରାଷ୍ଟ୍ରୟତ ଓ ଘୋରାଇ ବ୍ୟାଙ୍କରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ନେଇ ପରିଶୋଧ ନକରି ଦେଶ ଛାଡ଼ି ଚମ୍ପଟ ମାରଛନ୍ତି । ସେତେବେଳେ ପ୍ରଧାନମନ୍ତ୍ରୀ ନୀରବ ରହିଲେ ଓ ଲଳିତ ମୋଦିଙ୍କ ବିରୋଧରେ ଲୁକ ଆଉଟ ନୋଟିସ ପ୍ରତ୍ୟାହାର ପାଇଁ ଷଢ଼ଯନ୍ତ୍ର କଲେ । ରାହୁଳ ଗାନ୍ଧୀ ଅଦାଲତରେ ନିଜ ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା ନକରି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି କହିଲେ । ରାହୁଳ ଗାନ୍ଧୀ ଆରଏସଏସ ନେତାଙ୍କ ଭଳି କ୍ଷମା ମାଗିବାକୁ ରାଜି ନଥିଲେ । ସାବରକାର ଇଂରେଜଙ୍କୁ କ୍ଷମା ମାଗି ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ ନ କରିବାକୁ ସ୍ୱୀକାରୋକ୍ତି ଲେଖି ଭତ୍ତା ନେଉଥିଲେ, ମାତ୍ର ଏହି କ୍ରମରେ ରାହୁଳ ଗାନ୍ଧୀ ଭିନ୍ନ ବୋଲି ଶ୍ରୀ ଗିରି କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ଗୋପୀନାଥ ପାଢ଼ୀ, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞା ପାରମିତା ମହାନ୍ତି, ଜୋତ୍ସ୍ନା ସେନାପତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର ସଭାପତି ଗୌତମ ସାହୁ, ଜୀବନ ମହାପାତ୍ର, ସରୋଜ ଲେଙ୍କା, ବିକାଶ ଦାସ ପ୍ରମୁଖ ଉପସ୍ଥିତ ିଥିଲେ ।


