ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୪ର୍ଥ ସନ୍ଧ୍ୟା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ୯ମବାର୍ଷିକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ଶୁକ୍ରବାର ଥିଲା ୪ର୍ଥ ସନ୍ଧ୍ୟା । ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ (ଟିପିଏନଓଡ଼ିଏଲ) ବାଲେଶ୍ୱରର ଭିଜିଲାନ୍ସ ମୁଖ୍ୟ ଦିଲ୍ଲିପ ଦାସ କହିଲେ, ଓଡ଼ିଶାର କଳା, ସଂସ୍କୃତି, ବିଭିନ୍ନ ଲୋକକଳାକୁ ଉଦ୍ଜୀବିତ କରି ରଖିବା ତଥା ଏହା ମାଧ୍ୟମରେ ଲୋକମାନଙ୍କ ମନୋରଞ୍ଜନ କରିବା ମହୋତ୍ସବ ମାଧ୍ୟମରେ ସମ୍ଭବ ହୋଇଥାଏ । ଆଗରପଡ଼ାର ବରପୁତ୍ର ଡ଼. ହରେକୃଷ୍ଣ ମହତାବଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏଠାରେ କାର୍ଯ୍ୟକରାଗଲେ ଏହି ମହୋତ୍ସବ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବ ଏଥିରେ ସନ୍ଦେହ ନାହିଁ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଡୁଡୁନ ଫାଉଣ୍ଡେସନର ଅଧ୍ୟକ୍ଷା ସମାଜସେବୀ ବନ୍ଦନା ହରିଚନ୍ଦନ ଯୋଗଦେଇ କହିଲେ, ଆଗରପଡ଼ାରେ ମହୋତ୍ସବ ପାଳନର ଅନୁଭୂତି ନିଆରା ଅଟେ । ଏହି ମହୋତ୍ସବ ଏକ ପାରିବାରିକ ପରିବେଷ୍ଟନୀ ସଦୃଶ ଯେଉଁଥିରେ ପ୍ରତ୍ୟେକ ସଦସ୍ୟ ହସଖୁସିରେ ମହୁରତ ମନାଇ ଥାଆନ୍ତି । ସମ୍ମାନିତ ଅତିଥି ତଥା ସମ୍ବର୍ଦ୍ଧିତ ପ୍ରତିଭା ଭାବେ ପୂର୍ବତନ ସାମରିକ ଅଧିକାରୀ ଅକ୍ଷୟ କୁମାର ସୂତାର ତାଙ୍କ ବକ୍ତବ୍ୟରେ, କେବଳ ମହୋତ୍ସବରେ ଶୃଙ୍ଖଳା ନୁହେଁ ପ୍ରତ୍ୟେକ ଅନୁଷ୍ଠାନ ଏପରିକି ପରିବାର ମଧ୍ୟରେ ଶୃଙ୍ଖଳା ରହିଲେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରରେ ସମ୍ପାଦିତ ହୋଇ ପାରିବ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବିଦ୍ୟାଧର ବେହେରା, କୈଳାସ ଚନ୍ଦ୍ର ଧଳ, ଅନ୍ନପୂର୍ଣ୍ଣା ଦାଶ, ମନ୍ମଥ ୍କୁମାର ଦାସ ମଞ୍ଚାସୀନ ହୋଇ ଗାଁ ମାଟିରେ ମହୋତ୍ସବ ପାଳନ କରି ଅଞ୍ଚଳବାସୀଙ୍କୁ ଆନନ୍ଦ ଯୋଗାଇ ଆସୁଥିବା ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ଆହୁରି କିପରି ଆକର୍ଷଣୀୟ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ମତ ରଖିଥିଲେ । ବନ୍ଦନା ଜେନା ଓଡ଼ିଶୀ ନୃତ୍ୟ ଓ କ୍ଷୀରାବ୍ଦୀ ତନୟା ପଣ୍ଡା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ମଞ୍ଚ ପରିଚାଳନାରେ ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖିଥିଲେ । ଗୋବିନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ମଞ୍ଚ କୁ ପଞ୍ଚାନନ ପୃଷ୍ଟି, ସୁବୋଧ କୁମାର ସାହୁ, ରଶ୍ମିତା ପୁହାଣ, ଚିତ୍ତରଞ୍ଜନ ଦାସ ପରିଚାଳନା କରିଥିଲେ । ଶେଷରେ ପୁରୀରୁ ଆସିଥିବା ପୁରାତନ ଲୋକକଳା ଦଶଭୂଜା ଗୋଟିପୁଅ ର କଳାକାରମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଗୋପାଳ କୃଷ୍ଣ ଦାଶ, ଅକ୍ଷୟ ରାଉତ, ଭରତ କୁମାର ସାହୁ, ଉଲ୍ଲାସ ବାରିକ, ଅଶୋକ କୁମାର ପରିଡ଼ା, ଦିପକ ପୁରୀ, ମାମୁନି ସିଂହ, ନିହାର ରଞ୍ଜନ ସାହୁ, ଆମ୍ରପାଲି ଗାହାଣଙ୍କ ସମେତ ରୟାଲ ଇଗଲ କ୍ଲବର ସଭ୍ୟମାନେ ବିଭିନ୍ନ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ । ପକାଶଥାଉକି ଏହି ମହୋତ୍ସବ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୬ ତାରିଖରେ ଭଦ୍ରକ ସାଂସଦ, ଭଣ୍ଡାରିପୋଖରୀ ବିଧାୟକ ଅତିଥି ଭାବେ ଯୋଗଦେବେ । ବିବାଦୀୟ ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ମୁଖ୍ୟ ଆକର୍ଷଣ ରହିବେ । ୨୭ ତାରିଖ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେବାକୁ ଥିବା ବେଳେ ଚଳଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ମୁଖ୍ୟ ଆକର୍ଷଣରେ ରହିବେ । ସେହିପରି ୨୮ ତାରିଖରେ ସମାଜସେବୀ ଶଶୀ କୁମାର ସାହୁ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ଚଳଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ମୁଖ୍ୟ ଆକର୍ଷଣ ହେବେ । ୨୯ ତାରିଖ ସାଧୁସନ୍ଥଘଙ୍କ ସମେତ ଭଜନ ସମାରୋହର କାର୍ଯ୍ୟକ୍ରମ ରହିଛି ।