ଦ୍ୱିତୀୟ ଦିନରେ ଶ୍ରମିକ ସଂଗଠନ ସମନ୍ୱୟ ସମିତିର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପ୍ରତି ଶ୍ରମ କାର୍ଯ୍ୟାଳୟର ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ରିଲେ ଅନଶନ ଦ୍ୱିତୀୟ ଦିନରେ ପହଞ୍ଚିଛିି । ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସୁନଥିବା ବେଳେ ପ୍ରଭାଗୀୟ ଶ୍ରମ କମିଶନର ମାତ୍ର ଅଳ୍ପ ସମୟ ପାଇଁ କାର୍ଯ୍ୟାଳୟକୁ ଆସି ପଳାଇ ଯାଇଥିଲେ । ଏତଦବ୍ୟତିତ ଚକବନ୍ଦୀ ଅଧିକାରୀଙ୍କ ଦାୟୀତ୍ୱରେ ଥିବା ଉପଜିଲ୍ଲାପାଳ ଓ ଚକବନ୍ଦୀ ଉପନିର୍ଦେଶକ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କ କାର୍ଯ୍ୟାଳୟକୁ ରିଲେ ଅନଶନସ୍ଥଳ ଦେଇ ଯାଉଥିଲେବି ଅନଶନକାରୀଙ୍କ ସହ କୈାଣସି କଥା ହୋଇନଥିବା ସୂଚନା ମିଳିଛି । ଅନଶନକାରୀଙ୍କ ଦାବି ଅନୁଯାୟୀ ୨୦୧୮ ମସିହାରୁ ଆବେଦନ କରିଥିବା ମହିଳା ଶ୍ରମିକମାନଙ୍କୁ ପଞ୍ଜିକୃତ କରାନଯିବା, ଶ୍ରମ କାର୍ଯ୍ୟାଳୟରେ ଟୁଲସ ଓ ସାଇକେଲ ସହାୟତା ପାଇଁ ପଡି ରହିଥିବା ୨୦ହଜାର ଦରଖାସ୍ତ ମଞ୍ଜୁର କରାନଯିବା, ଗତ ୨୦୧୮ ମସିହାରୁ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ ପାଇଁ ପଡିରହିଥିବା ଆବେଦନ ପତ୍ରକୁ ପଞ୍ଜିକରଣ କରାଯାଇନଥିବା ବେଳେ ୨୦୨୨-୨୩ ମସିହାର ଆବେଦନ ପତ୍ରକୁ ପଞ୍ଜିକରଣ କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ପଡିରହିଥିବା ୧୪ଶହ ବିବାହ ସହାୟତା, ୩୧୪ ମୃତ୍ୟୁ କାଳୀନ ସହାୟତା, ପ୍ରସୂତି ସହାୟତା, ଶିକ୍ଷା ସହାୟତା, ଚିକିତ୍ସା ସହାୟତା ପ୍ରଦାନ କରାନଯିବା, କାର୍ଯ୍ୟସ୍ଥଳୀରେ ଦୂର୍ଘଟଣାଗ୍ରସ୍ତ ଶ୍ରମିକଙ୍କୁ ସରକାରୀ ସହାୟତା ପ୍ରଦାନ କରାନଯିବା, ସମସ୍ତ ଅନଲାଇନ ଆବେଦନ କ୍ଷେତ୍ରରେ ଦୁର୍ନିତୀ, ୧୯୫୦ ବ୍ୟାକ୍ଲଗ୍ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ତେଣୁ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯିବା ଦାବିରେ ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଆଇ.ଏନ.ଟି.ୟୁ.ସି.ର ମୁକ୍ତାର ଖାଁ, ସିଟୁର ଜଗତଜୀବନ ଦାଶ, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, କଳିଙ୍ଗ ଭାରତ ଶ୍ରମିକ ସଙ୍ଘର ପ୍ରକାଶ ଚନ୍ଦ୍ର ମହାନ୍ତି, ଓଡିଶା ନିର୍ମାଣ ମଜଦୁର ସଭାର ତ୍ରିଲୋଚନ ଦାସ ପ୍ରମୁଖ ଅନଶନର ନେତୃତ୍ୱ ନେଇଥିଲେ । ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଶ୍ରମିକ ସଂଗଠନର ପ୍ରତିନିଧିମାନଙ୍କୁ ସେଠାରୁ ଉଠାଇଦେବାକୁ ସଦର ଥାନା ପୋଲିସ ବଳ ପ୍ରୟୋଗ କରିଥିବା ନେଇ ସମନ୍ୱୟ ସମିତି ପକ୍ଷରୁ ଅଭିଯୋଗ ହୋଇଛି ।