ଶିକ୍ଷା ସହାୟକ, ଗଣଶିକ୍ଷକଙ୍କ ସହ ସଂଯୁକ୍ତ ହେଲେ ପାର୍ଟଟାଇମ କଳା ଓ କ୍ରୀଡ଼ା ଶିକ୍ଷକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ଫେବୃୟାରୀ ମାସ ୨୭ ତାରିଖରୁ ବିଧାନ ସଭା ସମ୍ମୁଖରେ ଧାରଣାରେ ବସିଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ପ୍ରତ୍ୟେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୦୧୩ ମସିହାରୁ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଭାବେ ସ୍ୱଳ୍ପ ପାରିଶ୍ରମିକରେ ନିଯୁକ୍ତି ପାଇଥିଲେ । କିନ୍ତୁ ଏହାରି ମଧ୍ୟରେ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ଚାକିରୀର କୌଣସି ଉର୍ଦ୍ଧ୍ୱଗତି ତଥା ସ୍ଥାୟୀ ନିଯୁକ୍ତି ନ ହେବାରୁ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଗଠନ ‘ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ’ ଆନ୍ଦୋଳନକୁ ତୀବ୍ର କରିଥିଲା । ପ୍ରାୟ ୪୦ ଦିନ ଆନ୍ଦୋଳନରେ ବସିବା ପରେ ସରକାର କୌଣସି ପଦକ୍ଷେପ ନ ନେବା ଫଳରେ ହଠାତ୍ ଗତ ଏପ୍ରିଲ ୬ ତାରିଖରେ ଧାରଣାସ୍ଥଳରୁ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀମାନେ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ରାଜମହଲ ଛକଠାରେ ପୋଲିସ୍ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ପୋଲିସ୍ ଗଣଶିକ୍ଷା ସଚିବଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀକୁ ଆଲୋଚନା ପାଇଁ ନେଇଥିଲେ । ଗଣଶିକ୍ଷା ସଚିବ ପ୍ରତିନିଧି ମଣ୍ଡଳୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, କେନ୍ଦ୍ର ସର୍ବଶିକ୍ଷା ଅଭିଯାନରେ ଦେଉଥିବା ଅର୍ଥ ବନ୍ଦ କରିବା ପରେ ରାଜ୍ୟ ସରକାର କାହାକୁ ଛଟେଇ ନକରି ଶିକ୍ଷା ସହାୟକ, ଗଣଶିକ୍ଷକଙ୍କ ସହ ସଂଯୁକ୍ତ କରାଯାଇଛି ଏବଂ ଆଗାମୀ ଦିନରେ ଏଥିପାଇଁ ସମ୍ପୂର୍ଣ୍ଣ ନିୟମାବଳୀ ପ୍ରସ୍ତୁତ କରାଯିବ । ପୁଣି ସୋମବାର ଦିନ ମଧ୍ୟ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଚିବାଳୟ ଯାଇ ସମ୍ପୂର୍ଣ୍ଣ ବିଷୟ ଆଲୋଚନା କରିବା ପରେ ସରକାରଙ୍କୁ ସମ୍ମାନ ଜଣାଇ ଦୀର୍ଘ ୪୩ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ସରକାରଙ୍କୁ ୫୦୦୦ ପିଟିଆଇ ଧନ୍ୟବାଦ ଦେବା ସହ ସରକାର ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ ନ କରନ୍ତି ତେବେ ଜିଲ୍ଲାସ୍ତରରୁ ପୁଣି ଗର୍ଜିବେ ବୋଲି କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଆବାହକ ଚନ୍ଦ୍ରଶେଖର ପାଢୀ, ଦେବବ୍ରତ ପଟ୍ଟନାୟକ, ଜଗତ ଜୀବନ ନାୟକ, ଧର୍ମେନ୍ଦ୍ର ପଣ୍ଡା, ରଶ୍ମୀରଞ୍ଜନ ସାହାଣୀ, ପ୍ରଦୀପ କୁମାର ଦାସ, ବିଜୟ କୁମାର ବାରିକ, ରଘୁନାଥ ସାମଲ, ରାଜସ୍ମିତା ଓଝା, ଆରତୀ ଆଚାର୍ଯ୍ୟ, ସ୍ୱାତୀମୁକ୍ତା, ସ୍ମିତାଞ୍ଜଳି ମହାପାତ୍ର, ଝରଣାରାଣୀ ବାରିକ, ସୁମନ ପରିଡ଼ା, ବିକ୍ରମ ନାୟକ, ବିଜନ ଦାସ, ହିମାଦ୍ରୀ ସାହୁ, ରଞ୍ଜିତ ସାହୁ, ସୀତାକାନ୍ତ ପଣ୍ଡା, ଅରୁଣ ଜେନା ପ୍ରମୁଖ ସାମିଲ୍ ଥିଲେ ।


