ଦୁର୍ଦ୍ଦଶାରେ ୮୦ବର୍ଷୀୟ ବୃଦ୍ଧ, ବୃଦ୍ଧି ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ, ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ସାମାଜିକ କର୍ମୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ୪୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳୁଥିବା ମାସିକ ଭତ୍ତା ଟଙ୍କା ଗତ ଫେବୃୟାରୀ, ମାର୍ଚ୍ଚ ଓ ଚଳିତ ଏପ୍ରିଲ ମାସ ସମେତ ୩ମାସ ଧରି ଭତ୍ତା ପ୍ରଦାନ କରା ଯାଇ ନ ଥିବାରୁ ହିତାଧିକାରୀ ମାନଙ୍କ ପକ୍ଷରୁ ଏହି ଗ୍ରାମପଞ୍ଚାୟତର ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଭାଗୀରଥୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କୁ ଟ୍ୱିଟ ମାଧ୍ୟମରେ ସମସ୍ୟାର ସମାଧାନ ନିମନ୍ତେ ନିବେଦନ କରିଛନ୍ତି। ଖବରରୁ ପ୍ରକାଶ ଯେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ୮୦ବର୍ଷୀୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିବା ଦିଗରେ ଗ୍ରାମ ପଞ୍ଚାୟତ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଓ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଅବହେଳା ପ୍ରଦର୍ଶନ କରି ସରକାରୀ ଦାୟିତ୍ବ ସଠିକ ଭାବେ ନିର୍ବାହ ନ କରିବା ଯୋଗୁଁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିବା ହିତାଧିକାରୀ ମାନଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ଅଭିଯୋଗ କରିଛନ୍ତି। ଏହି ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ କହ୍ନେଇ ଚରଣ ପ୍ରଧାନ ନିୟମିତ ଭାବେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନ ଆସି କେବଳ ଗ୍ରାମ ପଞ୍ଚାୟତର ମାସିକ ବୈଠକରେ ଯୋଗ ଦେଉଥିବାରୁ ଗ୍ରାମ ପଞ୍ଚାୟତର ଭତ୍ତା ବଣ୍ଟନ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସାମାଜିକ କର୍ମୀ ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି। ଏହି ଗ୍ରାମପଞ୍ଚାୟତରେ ୪୦୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀ ୩ମାସ ଧରି ଭତ୍ତା ନ ପାଇ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ୮୦ ବର୍ଷର ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଓ ବିଧବା ଭତ୍ତା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ୧୫ତାରିଖ ଭତ୍ତା ପ୍ରଦାନ ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ବେଳେ କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ନୂଆଗାଁ ଗ୍ରାମ ପଞ୍ଚାୟତରେ ଏହି ନିୟମର ଖୋଲା ଉଲଂଘନ କରାଯାଇ ୪ମାସରେ ଅଥବା ୩ମାସରେ ଥରେ ଭତ୍ତା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ଏହା କଣ ପ୍ରଶାସନିକ ଅବହେଳାର ନମୁନା ନୁହେଁ କି ବୋଲି ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ କାକଟପୁର ବ୍ଲକ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଭତ୍ତା ପ୍ରଦାନ ଦିଗରେ ଅହେତୁକ ବିଳମ୍ବ ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା କେତେକ ଶଯ୍ୟାଶାୟୀ ଭତ୍ତା ହିତାଧିକାରୀ ଭତ୍ତା ପାଇଁ ଅପେକ୍ଷା କରି ମୃତ୍ଯୁ ବରଣ କରିବା ଘଟଣା ଭଳି ପରିସ୍ଥିତି ଏହି ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ଗ୍ରାମପଞ୍ଚାୟତର ୩ମାସ ଧରି ଅପେକ୍ଷାରତ ଭତ୍ତା ହିତାଧିକାରୀ ମାନଙ୍କୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଭତ୍ତା ଟଙ୍କା ପ୍ରଦାନ ପୂର୍ବକ ଏହି ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଓ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚୀବ, ୫ଟିସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୁରୀ ଜିଲ୍ଲାପାଳଙ୍କୁ ଭତ୍ତା ହିତାଧିକାରୀ ମାନଙ୍କ ପକ୍ଷରୁ ନିବେଦନ କରିଛନ୍ତି।


