ମହାବିଷୁବ ସଂକ୍ରାନ୍ତିରେ ‘ଫାମାସ’ର ସାମୂହିକ କୋଇଲି ପୂଜା

ବାଲେଶ୍ୱର, (ସରୋଜ ପଣ୍ଡା):ମହାବିଷୁବ ସଂକ୍ରାନ୍ତି ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଫାମାସ’ ପକ୍ଷରୁ ଗ୍ରାମୀଣ ଲୋକ ଉତ୍ସବ ‘କୋଇଲି ପୂଜା’ ସଦର ବ୍ଲକ ଅନ୍ତର୍ଗତ ରଣସାହି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ମୁନ କମ୍ୟୁନିକେସନ ଓ ରଣସାହି ପ୍ରଗତି ଯୁବ ପରିଷଦର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳୀୟ ପରମ୍ପରାରେ କୋଇଲି ପୂଜାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକୃତି ଓ ପରିବେଶ ମଧ୍ୟରେ ସମନ୍ୱୟ ରଖି ଆସିଥିବା ଏହି କୋଇଲି ପୂଜା ପରମ୍ପରା ଏବେ ଗ୍ରାମାଞ୍ଚଳରେ କିଛି କିଛି ସ୍ଥାନରେ ଦେଖିବାକୁ ମିଳିଛି । ବିଭିନ୍ନ ଅନୁଷ୍ଠାନର ମିଳିତ ସହଯୋଗରେ ରଣସାହିରେ ଆୟୋଜିତ ଏହି ଉତ୍ସବ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ଡ. ଜେନା ମତ ପ୍ରକାଶ କରିଥିଲେ । ଆୟୁର୍ବେଦିକ ପ୍ରଫେସର ଡାକ୍ତର ଶାନ୍ତନୁ କୁମାର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରକୃତି ଓ ପରିବେଶର ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାଚୀନ କାଳରୁ ଓଡ଼ିଶାରେ ଚାଲି ଆସିଥିବା କୋଇଲି ପୂଜା ଧୀରେ ଧୀରେ ହ୍ରାସ ପାଇବା ଉଦବେଗର ବିଷୟ ବୋଲି କହିଥିଲେ । ଏହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ସବୁ ମହଲରୁ ଉଦ୍ୟମ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଗୋପାଳ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟକାନ୍ତ ବେହେରା, ସମିତି ସଭ୍ୟ କରୁଣାକର ବେହେରା, ୱାର୍ଡ଼ମେମ୍ବର କୃଷ୍ଣନାରାୟଣ ବିଶ୍ୱାଳ, ନାଏବ ସରପଞ୍ଚ ରଙ୍ଗଲତା ଜେନା, ୟୁନିୟନ ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ସୀତାଂଶୁ ଶେଖର ଦେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପରମ୍ପରା ଉଜ୍ଜୀବିତ ପାଇଁ ପ୍ରୟାସ କରିବାକୁ ଅତିଥିମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ‘ଫାମାସ’ର ସମ୍ପାଦକ ଦିଲୀପ କୁମାର ପରିଡ଼ା ଅନୁଷ୍ଠାନର କାର୍ଯ୍ୟଧାରା ଓ ଉତ୍ସବ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ମୁନ କମ୍ୟୁନିକେସନ ସମ୍ପାଦକ ଅବନୀ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କୋଇଲି ପୂଜା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ