ଏମ୍ସ ସାଟେଲାଇଟ୍ ସେଣ୍ଟର ସମ୍ମୁଖରେ ଗଣବିକ୍ଷୋଭ
ବାଲେଶ୍ୱର /ରେମୁଣା, (ସରୋଜ ପଣ୍ଡା): ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବାଲେଶ୍ୱର ଏମ୍ସ ସାଟେଲାଇଟ୍ ସେଣ୍ଟର ସମ୍ମୁଖରେ ଶନିବାର ଦିନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଶତାଧିକ ବ୍ୟକ୍ତି ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣାରେ ବସିଥିଲେ। ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବା ଦାବିରେ ଏହି ବିକ୍ଷୋଭ ସମାବେଶ ପାଇଁ ଆହ୍ୱାନ ଦିଆଯାଇଥିଲା। ବିକ୍ଷୋଭ ସଭାସ୍ଥଳରେ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଓ ଉପସଭାପତି ନିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିଲେ। ଦୀର୍ଘ ଆଠବର୍ଷ ଧରି ବାଲେଶ୍ୱରରେ ଏମ୍ସ୍ର ବହିର୍ବିଭାଗ ସପ୍ତାହକୁ ମାତ୍ର ଦୁଇଦିନ କାର୍ଯ୍ୟ କରୁଛି। ୩୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଏହି ସମାବେଶରେ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ଓ ସମସ୍ତ ବ୍ଲକ୍ର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଗଣସଂଗଠନ ଓ ରାଜନୈତିକ ଦଳର ନେତୃବୃନ୍ଦ ବିକ୍ଷୋଭ ସ୍ଥଳରେ କ୍ରିୟାନୁଷ୍ଠାନ କମିଟିର ଦାବି ଓ ଆନ୍ଦୋଳନକୁ ସେମାନଙ୍କର ଦୃଢ଼ ସମର୍ଥନ ଜଣାଇ ଜାତୀୟସ୍ତରର ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବାକୁ ସେମାନେ ମତ ଦେଇଥିଲେ। ଏହି ସମାବେଶରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସୁଧାଂଶୁ ଶେଖର ପରିଡ଼ା, ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଦିଲ୍ଲୀପ ଗିରି, ସତ୍ୟଶିବ ଦାସ, ଅକ୍ଷୟ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଇଂ. ଡ. ହୃଷିକେଶ ସାହୁ, ଶତୃଘ୍ନ ମଲ୍ଲିକ, ମାୟାଧର ନାୟକ, ବିଜୟ ପାତ୍ର, ଡ. ଅଜିତ୍ ମହାନ୍ତି, ପ୍ରେମରଂଜନ ପାତ୍ର, ରମେଶ ଚନ୍ଦ୍ର ଜେନା, ଶ୍ୟାମସୁନ୍ଦର ଜେନା, ଗୌରାଙ୍ଗ ପାଣିଗ୍ରାହୀ, କୁମୁଦ ରଂଜନ ଗିରି, ଜଗତାନନ୍ଦ ବିଶ୍ୱାଳ, ସରସ୍ୱତୀ ପଣ୍ଡା, ଅକ୍ଷୟ ତ୍ରିପାଠୀ, ନବକିଶୋର ଦାସ, ଜିତେନ୍ଦ୍ର ବେହେରା, ରଘୁନାଥ ଲେଙ୍କା, ନିରଞ୍ଜନ ବେହେରା, ଡ. କେଶବ ଚରଣ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଭୋଇ, ପୂର୍ବତନ ସରପଞ୍ଚ ବିଧାନ ରାୟ ଓ ଷ୍ଟାଲିନ୍ ମିଶ୍ର, ବିଭିନ୍ନ ଗଣସଂଗଠନ ଓ ସାମାଜିକ ସଂଗଠନ ପକ୍ଷରୁ ବରିଷ୍ଠ ନାଗରିକ ମଞ୍ଚ ଓ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଓକିଲ ସଂଘର ସଭାପତି ମନୋଜ ନାୟକ, ଭିଟାମାଟି ସୁରକ୍ଷା କମିଟିର ନେତା ଅରୁଣ ଜେନା, ଅନୁଜ ମହାପାତ୍ର, ଆଇନଜୀବୀ ତୁଷାର ମହାପାତ୍ର, କୃଷି ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ ସମିତିର ସଂପାଦକ ଅଭୟ ମିଶ୍ର, ଭରତ ଚନ୍ଦ୍ର ସେଠୀ, ଯତୀନ୍ ପାତ୍ର, ଜୀବନ ପରିଡ଼ା, ନାରୀନେତ୍ରୀ ପ୍ରମିତା ଦାସ, ମିନତୀ ପ୍ରଧାନ ପ୍ରମୁଖ ବିକ୍ଷୋଭସ୍ଥଳରେ ଉଦ୍ବୋଧନ ଦେଇ ଦାବିପୂରଣ ନ ହେଲେ ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ। ଚଳିତ ସପ୍ତାହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ବ୍ଲକ୍ ସ୍ତରରେ ଉନ୍ନତ ସରକାରୀ ସ୍ୱାସ୍ଥ୍ୟସେବା ପାଇଁ ଗଣ ଆନ୍ଦୋଳନରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ସେମାନେ ଧନ୍ୟବାଦ ଦେଇଥିଲେ। ଧାରଣାସ୍ଥଳରୁ ଏକ ପ୍ରତିନିଧିଦଳ ଏମ୍ସର ନର୍ସିଂ ସୁପରିନ୍ଟେଣ୍ଡ୍ ଦିଲ୍ଲୀପ ହେମ୍ବ୍ରମ୍ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଚଳିତ ଅଗଷ୍ଟ ମାସ ମଧ୍ୟରେ ଏମ୍ସର ବହିର୍ବିଭାଗ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ସରକାରୀ ଔଷଧ ଦୋକାନ ଓ ସମସ୍ତ ରୋଗର ପରୀକ୍ଷା ନିରୀକ୍ଷା ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। ତେଣୁ ଚଳିତ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ସଭାପତି ଶ୍ରୀ ପରିଡ଼ା ଘୋଷଣା କରିଥିଲେ। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଫୁଲ୍ଲ କୁମାର ଦାସ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ।


