ବିଧାନସଭା ସମ୍ମୁଖରେ ଭି.ଆର.ପି ଆସୋସିଏସନ ଓଡ଼ିଶା ତରଫରୁ ଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଧାନସଭା ସମ୍ମୁଖରେ ଭିଆରପି ଆସୋସିଏସନ, ଓଡ଼ିଶା ତରଫରୁ ସୋମବାର ଦିନ ଧାରଣା ଦିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ବିଭାଗ ମୁଖ୍ୟ ସଚିବ ତଥା ନିର୍ଦ୍ଦେଶକଙ୍କୁ ଭିଆରପିମାନଙ୍କର ସମସ୍ୟା ସମ୍ବନ୍ଧୀୟ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ସରକାରଙ୍କ ଅନ୍ୟ ଯୋଜନା ଗୁଡ଼ିକୁ ସମାଜିକ ସମୀକ୍ଷାରେ ସାମିଲ୍ କରାଯିବା ସହିତ ପାରିଶ୍ରମିକ ବୃଦ୍ଧି କରିବା, ଓସାଟ୍ ଯୋଜନାରେ କାର୍ଯ୍ୟ କରୁଥିବା ଭିଆରପି ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଭିଆରପି ମାନଙ୍କୁ ଡ୍ରେସ୍ କୋଡ଼ ସହିତ ଆଇଡି କାର୍ଡ଼ ଯୋଗାଇଦେବା, ଭିଆରପି ମାନଙ୍କୁ ଇପିଏଫ୍ ଓ ଇନ୍ସ୍ୟୁରାନ୍ସ ସୁବିଧା ଦେବା, ଭିଆରପି ମାନଙ୍କର ପାରିଶ୍ରମିକ ରାଶିକୁ ସିଧାସଳଖ ଭିଆରପି ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିବା ସହିତ ଅତିରିକ୍ତ ବିଳମ୍ବ ନ କରାଯାଇ ନିୟମିତ ପ୍ରଦାନ କରିବା, ଭିଲେଜ ରିସର୍ଚ୍ଚ ପରସନ ନ କୁହାଯାଇ ଗ୍ରାମ ପଞ୍ଚାୟତ ସୋସିଆଲ ଅଡ଼ିଟର ଆଖ୍ୟା ଦିଆଯିବା ଅନ୍ତର୍ଭୁକ୍ତ ଅଟେ ।ଏହି ଧାରଣା କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଶ୍ରୀ ବସନ୍ତ କୁମାର ସାହୁ ଉପସ୍ଥିତ ରହି ଭିଆରପି ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଭିଆରପି ସଂଘର ସଭାପତି ଶ୍ରୀମତୀ ସୁପ୍ରିୟା ରାଉତ, ଉପସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ମିଶ୍ର, ଶ୍ରୀମତୀ ସୁନିତା ପରିଡ଼ା, ସାଧାରଣ ସମ୍ପାଦିକା ଶ୍ରୀମତୀ ରୁନୁ ଥାପା, ସହ ସମ୍ପାଦିକା ପ୍ରମିତା ଦାସ, ମିନୁ ସାବତ, କୋଷାଧ୍ୟକ୍ଷ ସୁଶାନ୍ତି ପ୍ରଧାନ, ସାଗରିକା ପରିଡ଼ା, ସୁରୁଚି ବିଶ୍ୱାଳ, ମିନା ଗଡ଼ନାୟକ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।


