ଶ୍ରୀକ୍ଷେତ୍ର ରେ ଶ୍ରୀଜିୟୁ ମାନଙ୍କ ଚନ୍ଦନଯାତ୍ରା

ନିମାପଡା, (ସନ୍ତୋଷ ଦାଶ): ପୁରୀ ଶ୍ରୀମନ୍ଦିରରେ ବାରମାସ ରେ ତେର ପର୍ବ ପର୍ବାଣୀ ଅନୁଷ୍ଠିତ ହୋଇଥାଏ। ବୈଶାଖ ମାସ ରେ ପାଳିତ ହେଉଥିବା ଚନ୍ଦନ ଯାତ୍ରା ହେଉଛି ଶ୍ରୀ ମନ୍ଦିର ରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି। ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ଯ୍ୟାୟ ରେ ଅନୁଷ୍ଠିତ ହୋଇଥାଏ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ତିଥି ଠାରୁ ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀ ରେ ବାହାର ଚନ୍ଦନ ଯାତ୍ରା ଓ ପରବର୍ତ୍ତୀ ୨୧ ଦିନ ଶ୍ରୀ ମନ୍ଦିର ରେ ଭିତର ଚନ୍ଦନ ଯାତ୍ରା ଭାବେ ପାଳିତ ହୋଇଥାଏ। ଦକ୍ଷିଣଘରୁ ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା (ମଦନ ମୋହନ, କୃଷ୍ଣ,ବଳରାମ) ଓ ରତ୍ନ ସିଂହାସନ ଉପରୁ ଦୁଇଟି ଚଳନ୍ତି  ପ୍ରତିମା (ଲକ୍ଷ୍ମୀ ଙ୍କ ସୁବର୍ଣ୍ଣ ପ୍ରତିମା ଓ ସରସ୍ଵତୀ ଙ୍କ ରୌପ୍ୟ ପ୍ରତିମା) ବାହାର ଚନ୍ଦନ ଯାତ୍ରା ରେ ଭାଗ ନିଅନ୍ତି। ଚନ୍ଦନ ଯାତ୍ରା ପଟୁଆର ରେ ସମୁଦାୟ ୧୦ ଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କି ରେ ବିଜେ କରିଥାନ୍ତି। ସବୁଠୁ ସୁଦୃଶ୍ୟ ବିମାନ ରେ ମଦନ ମୋହନ, ଶ୍ରୀ ଦେବୀ (ଲକ୍ଷ୍ମୀ), ଭୂ ଦେବୀ (ସରସ୍ଵତୀ/ବିଶ୍ଵଧାତ୍ରୀ) ବସୁଥିବାବେଳେ ବିମାନ ପଛ ପ୍ରଥମ ପାଲିଙ୍କି ରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି। ଅନ୍ୟ ୫ଟି ବିମାନ ରେ ପଞ୍ଚ ମହାଦେବ ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ଵର , ଶ୍ରୀ ନୀଳକଣ୍ଠେଶ୍ଵର, ଶ୍ରୀ ଜମ୍ବେଶ୍ଵର, ଶ୍ରୀ କପାଳମୋଚନ ବିଜେ କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀ କୂଳରେ ଏକ ଛାମୁଣ୍ଡିଆ ନିର୍ମାଣ କରାଯାଇଥାଏ। ଶ୍ରୀ ମନ୍ଦିର ରୁ ସ୍ୱ ସ୍ୱ ବିମାନ ଓ ପାଲିଙ୍କି ରେ ୧୦ ଦେବ ଦେବୀ ଯାଇ ପ୍ରଥମେ ସେହି ଛାମୁଣ୍ଡିଆ ତଳେ ଅବସ୍ଥାନ କରନ୍ତି। ସେଠାରେ ସମସ୍ତ ଦେବଦେବୀ ଙ୍କ ପାଦ କୁ ରୂପା ପିଙ୍ଗଣ ରେ ଥିବା ଶୁଦ୍ଧ ସୁବାସିତ ଜଳ ରେ ଧୌତ କରାଯାଇଥାଏ । ପୂର୍ବରୁ ନରେନ୍ଦ୍ର ପୁଷ୍କରିଣୀ ରେ ଦୁଇଟି ଲେଖାଏଁ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇଥାଏ। ଚାପ ଗୁଡ଼ିକୁ ଜରି କାମ ହୋଇଥିବା ମଣ୍ଡଣି ଦ୍ଵାରା ସୁଶୋଭିତ କରା ଯାଇଥାଏ। ଗୋଟିଏ ଚାପରେ ଥିବା ରୂପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନ ରେ ମଦନମୋହନ, ଶ୍ରୀ ଦେବୀ, ଭୂଦେବୀ,ବଳରାମ ଓ କୃଷ୍ଣ ଉପବେସନ କରନ୍ତି। ଅନ୍ୟ ଚାପ ଟିରେ ପଞ୍ଚୁପାଣ୍ଡବ ଭାବେ ପରିଚିତ ପାଞ୍ଚ ମହାଦେବ ବିରାଜମାନ କରନ୍ତି। ଦେବ ଦେବୀ ମାନଙ୍କ ସହ ଚାପ ଦ୍ବୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ,ଖୁଣ୍ଟିଆ,
ପ୍ରଭୂତି ସେବକମାନେ ରହିଥାନ୍ତି। ଚାପ ଦ୍ବୟ ନରେନ୍ଦ୍ର ପୁଷ୍କରିଣୀ ରେ ଗୋଟାଏ ଘେରା ବୁଲିଆସନ୍ତି। ଏହାପରେ ସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ତିନିଗୋଟି କୁଣ୍ଡ ରେ ଚନ୍ଦନ, କର୍ପୁର, କସ୍ତୁରୀ, ମଲ୍ଲି, ଜାଇଫଳ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୁତିବ୍ୟବହାର କରାଯାଇ ସୁବାସିତ ଶୁଦ୍ଧ ଜଳ ପ୍ରସ୍ତୁତ କରା ଯାଇଥାଏ। ସେହି କୁଣ୍ଡ ରେ ଦେବ ଦେବୀ ମାନେ ବୁଡ଼ ପକାଇଥାନ୍ତି। ସ୍ନାନ ପରେ ମଦନ ମୋହନ ଙ୍କୁ ବେଶ କରାଯାଇଥାଏ। ବାହାର ଚନ୍ଦନ ଯାତ୍ରା ର ୨୧ଦିନ ମଧ୍ୟରୁ ୨୦ ଦିନ ନୂଆନୂଆବେଶ କରାଯାଇଥାଏ । କେବଳ ନୃସିଂହ ଜନ୍ମ ତିଥି ରେ ମଦନ ମୋହନ କୌଣସି ବେଶ ହୋଇ ନ ଥାନ୍ତି।ବେଶପରେ ରାତିଚାପ ଅନୁଷ୍ଠିତ ହୋଇଥାଏ। ରାତି ଚାପ ରେ ଦୁଇ ଚାପ ସହ ଆଉ ଗୋଟିଏ ନୌକା ର ବ୍ୟବହାର ହୋଇଥାଏ। ସେହି ନୌକା ରେ ଜଣେ ଘଣ୍ଟୁଆ,ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି।ସେମାନଙ୍କ ସହିତ ଜଣେ ସେବାୟତ ପୋଲାଙ୍ଗ ତେଲ ର ଦିହୁଡ଼ି ଧରିଥାନ୍ତି। ଦିନ ଚାପ ଗୋଟାଏ ଘେରାରେ ଶେଷ ହେଉଥିବା ବେଳେ ରାତି ଚାପ ରେ ତିନି ଘେରା ବୁଲା ଯିବାର ପରମ୍ପରା ରହିଛି। ଦେବ ଦେବୀ ଙ୍କ ବିଗ୍ରହ ମାନେ ନରେନ୍ଦ୍ର ପୁଷ୍କରିଣୀ ର ଚକଡା଼ ନିକଟରେ ବିଜେ କରିବାପରେ ଠାକୁର ଙ୍କ ଜଳ ଲାଗି, ଦିଅଁ ଚାପ କୁ ବିଜେ, ଚାପ ଆରମ୍ଭ, ଚାପ ଶେଷ, ଦିଅଁ ଚନ୍ଦନ କୁଣ୍ଡ କୁ ବିଜେ, ଚନ୍ଦନ କୁଣ୍ଡ ରୁ ବାହାର, ସାଧା ବେଶ, ଶୀତଳ ଭୋଗ, ବେଶ, ମାଣ୍ଡୁଅ ଭୋଗ, ଦିଅଁ ବାହାର କୁ ବିଜେ, ବିଡ଼ିଆ ମଣୋହି, ବନ୍ଦାପନା, ଦିଅଁ ଚାପ କୁ ବିଜେ, ଚାପ ଆରମ୍ଭ ଓ ଶେଷ, ବାହୁଡ଼ା ବିଜେ ପ୍ରଭୁତି ଦେବନୀତି ସମ୍ପାଦନା କରିବା ନିମନ୍ତେ ଦୈନିକ ପ୍ରାୟ ୪୧ଜଣ ବିଭିନ୍ନ ବର୍ଗ ର ସେବାୟତ ନିୟୋଜିତ ହୋଇଥାନ୍ତି। ସଙ୍ଗୀତ ଓ ନୃତ୍ୟ ସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ। ଏହି ଯାତ୍ରା ର ଶେଷ ଦିନ ଭଉଁରୀ ଯାତ୍ରା ପାଳନ କରାଯାଏ। ପରବର୍ତ୍ତୀ ୨୧ଦିନ ବ୍ୟାପି ଭିତର ଚନ୍ଦନ ଯାତ୍ରା ପାଳନ କରାଯାଏ। ଏହି ଅବସର ରେ ବାହାର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ।ଜ୍ୟେଷ୍ଠ କୃଷ୍ଣ ଏକାଦଶୀ,
ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀ ରେ ଶ୍ରୀ ମଦନ ମୋହନ, ଶ୍ରୀ ଦେବୀ ଓ ଭୂଦେବୀ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପ କୁ ବିଜେ କରି ସେଠାରେ ସୁବାସିତ ଚନ୍ଦନ ଜଳ କୁଣ୍ଡ ରେ ବିହାର କରନ୍ତି। ଶ୍ରୀ ମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈଘ୍ୟ ବିଶିଷ୍ଟ ଚନ୍ଦନଘର ଅଛି। ସେଠାରେ ପ୍ରତ୍ୟେକ ଦିନ ଶ୍ରୀ ଜିୟୁ ମାନଙ୍କ ଲାଗି ଚନ୍ଦନ ଘୋରା ହୋଇଥାଏ। ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳ କୁ ଘଟୁଆରୀ ସେବକ ମାନେ ବ୍ୟବହାର କରିଥାନ୍ତି। ସମୁଦାୟ ସାତ ଜଣ ଘଟୁଆରୀ ଚନ୍ଦନ ଘୋରିଥାନ୍ତି।ସାଧାରଣଦିନ ମାନଙ୍କ ରେ ଘଟୁଆରୀ ସେବକ ମାନେ ପ୍ରାୟ ୪୪୨ ଗ୍ରାମ ଓଜନ ର ଚନ୍ଦନ କାଠ ଘୋରିଥାନ୍ତି। କିନ୍ତୁ ଚନ୍ଦନଯାତ୍ରା ସମୟରେ ପ୍ରାୟ ୧ କିଲୋ ଓଜନ ର ଚନ୍ଦନକାଠ ଘୋରା ଯାଇଥାଏ। ସଂଧ୍ୟାଧୂପ ର ଅନ୍ନଭୋଗ ଅର୍ପଣ ପରେ ଠାକୁର ମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନି ଠାକୁର ଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶ ରେ ଚନ୍ଦନ ପ୍ରଲେପ କରାଯାଏ। ଜଗତ ର ତ୍ରିତାପ (ଆଧିଦୈବିକ, ଆଧିଭୌତିକ, ଆଧ୍ୟାତ୍ମିକ) ହରଣ ନିମନ୍ତେ ଠାକୁର ମାନଙ୍କୁ ଚନ୍ଦନ ପ୍ରଲେପ କରାଯାଏ ବୋଲି ସିଂହାରୀ ସେବକ ମାନେ କହିଥାନ୍ତି। ଚନ୍ଦନ ଯାତ୍ରା ଶ୍ରୀ ଜିୟୁ ମାନଙ୍କ ଏକ ପ୍ରସିଦ୍ଧ ଓ ଅନନ୍ୟ ପରମ୍ପରା ହୋଇ ରହି ଆସିଛି କାହିଁ କେତେ କାଳରୁ। ଚନ୍ଦନ ଯାତ୍ରା ପାଇଁ ପ୍ରାୟ ୨ମାସ ଶ୍ରୀ କ୍ଷେତ୍ର ପୁରୀ ଉତ୍ସବ ମୁଖର ହୋଇ ଉଠିଥାଏ। ଲକ୍ଷାଧିକ ଭକ୍ତ ଏହି ଯାତ୍ରା ଦେଖିବାକୁ ପୁରୀ କୁ ଛୁଟି ଆସିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ