ବିଶ୍ୱ ଶ୍ରମିକ ଦିବସରେ ଟିୟୁଏସିସିର ସମାବେଶ
ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରମିକ ସଂଗଠନ ସମନ୍ୱୟ ସମିତି (ଟିୟୁଏସିସି) ଓ ମଇଦିବସ ପାଳନ କମିଟିର ମିଳିତ ସହଯୋଗରେ ମଇଦିବସ ପାଳିତ ହୋଇାଯାଇଛି । ବିଚାରଗଞ୍ଜ ଫାଣ୍ଡିଛକ ଶ୍ରମିକନେତା ରାଜକିଶୋର ଲେଙ୍କା ଲାଲ୍ ପତାକା ଉତ୍ତୋଳନ ସହ ଉତ୍ସବକୁ ଉଦଘାଟନ କରିଥିଲେ । ସମାବେଶ ପୂର୍ବରରୁ ଏକ ବର୍ଣ୍ଣାଢ଼୍ୟ ବିରାଟ ଶୋଭାଯାତ୍ରା ବାଲେଶ୍ୱର ଷ୍ଟେସନ୍ଠାରୁ ବାହାରି ସହର ପରିକ୍ରମା କରି ଗାନ୍ଧୀସ୍ମୃତି ଭବନ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଟିୟୁଏସିସିର ସଭାପତି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ସିଟୁର ନେତା ଶିଶିର ହୁଇ, ମଇଦିବସ ପାଳନ କମିଟିର ସଂପାଦକ ରବିନାରାୟଣ ମିଶ୍ର, ଆଇଏନଟିୟୁସିର ବିକାଶ ଦାସ, ଚାଷୀ ଏକତା ମଞ୍ଚ ସଭପତି ଅରୁଣ ଜେନା, ଏଆଇଟିୟସିି ନେତା ଶ୍ୟାମସୁନ୍ଦର ଜେନା, ଉମାକାନ୍ତ ଦାସ ପୋଷ୍ଟାଲ୍ କର୍ମଚାରୀ ସଂଘ ନେତା ନିରଞ୍ଜନ ରାଉତ, ପ୍ରତିରକ୍ଷା କର୍ମଚାରୀ ସଂଘ ନେତା ଜଗଦୀଶ ବାରିକ, ମୋଟର ଟ୍ରାନ୍ସପୋର୍ଟ ଶ୍ରମିକ ସଂଘ ନେତା ରାଜକିଶୋର ଲେଙ୍କା ଯୋଗଦେଇ ଶ୍ରମିକ ସମାଜଙ୍କ ସାମ୍ପ୍ରତିକ ସ୍ଥିତି ଓ ରାଷ୍ଟ୍ରର ଶ୍ରମ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସଂପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଆଦାନୀ, ଅମ୍ବାନୀ ଓ ଲଳିତ ମୋଦି ଭଳି ଅନେକ ଅସାଧୁ ପୁଞ୍ଜିପତ ପରୋକ୍ଷ ଭାବେ ଦେଶକୁ ଶାସନ କରୁଛନ୍ତି । ସମ୍ପୃକ୍ତ ଶିଳ୍ପପତିଙ୍କ ନିର୍ଦ୍ଦେଶ କ୍ରମେ ଏବେ ରାଷ୍ଟ୍ରୀୟ ଉଦ୍ୟୋଗକୁ ଘରୋଇ ଦେଶୀ-ବିଦେଶୀ କଂପାନୀ ବିକ୍ରି କରି ଭାରତବର୍ଷର ଆର୍ଥିକ ସ୍ଥିତିକୁ ସରକାର ଦେବାଳିଆ ଅବସ୍ଥାକୁ ନେଇ ସାରିଲେଣି । ଗରୀବ ଚାଷୀଙ୍କୁ ଋଣ ଛାଡ଼ ନକରି ହାତଗଣତି ପୁଞ୍ଜିପତିଙ୍କୁ ୨୦ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରି ଦେଶର ରାଜକୋଷକୁ ଲୁଟ୍ କରାଯାଉଛି । ଫଳତଃ ଦେଶର ସଂଖ୍ୟାଧିକ ଜନଗଣ ଆଜି ନିଜର ଜୀବନ ଜୀବିକା ଓ ରୋଜଗାର ହରାଉଛନ୍ତି । ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରାକ ସ୍ୱାଧୀନତା କାରୁ ଚଳିଆସୁଥିବା ଦେଶର ୪୪ଟି ଶ୍ରମିକ ସପକ୍ଷବାଦୀ ଆଇନକୁ ରଦ୍ଦ କରି ୪ଟି ଶ୍ରମକୋର୍ଡ଼ରେ ପରିଣତ କରାଯାଇଛି । ଫଳରେ ଶ୍ରମିକ ଶ୍ରେଣୀଙ୍କ ମୌଳିକ ଅଧିକାର, ସାମାଜିକ ନିରାପତ୍ତା ବିପନ୍ନ ହେବାକୁ ଯାଉଛି । ଅନୁରୂପ ଭାବେ ଦେଶର ସମ୍ପତ୍ତ ବ୍ୟାଙ୍କ୍, ବୀମା, ରେଳବାଇ, ବିମାନବନ୍ଦର, ପୋତାଶ୍ରୟ, ଜାତୀୟ ରାଜପଥ, ଖଣି, ଇସ୍ପାତ୍, ଆଲୁମିନିୟମ୍, କୋଇଲା, ବିତ୍ୟୁତ୍, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଡାକ୍ତରଖାନା ଆଦି ସବୁ ସରକାରଙ୍କ ଦ୍ୱାରା ପୁଞ୍ଜିପତିମାନଙ୍କ, ମୁନାଫା ଏବଂ ଶୋଷଣ ଜାଲରେ କବଳିତ । ଦରବୃଦ୍ଧି, ବେକାରୀ, ଶ୍ରମିକ ଛଟେଇ ସାଂଗକୁ ‘ଲୋକଙ୍କୁ ଶୋଷଣ କର ଆଉ ଶାସନ କର’ ନ୍ୟାୟରେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟସ୍ତ ଥିବା ବେଳେ ବେକାରୀ-ବେରୋଜଗାରୀ ନାଗଫାଶରେ ପଡ଼ି ବେକାର ଯୁବକ ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ବୋଲି ବକ୍ତାମାନେ ମତ ଦେଇଥିଲେ । ଏଭଳି ସ୍ଥିତିରେ ନିଜର ହକ ପାଇଁ ସଂଗବଦ୍ଧ ହୋଇ ସଂଗ୍ରାମ ଜାରି ରଖିବାକୁ ମଇଦିବସରେ ସେମାନେ ଆହ୍ୱାନ ଦେଇଥିଲେ । ପ୍ରେମରଞ୍ଜନ ପାତ୍ର, ଆଶୁତୋଷ ପରିଡ଼ା, ଶରତ ଦଳାଇ, ଯତୀନ୍ ପାତ୍ର, ବନ୍ଦନା ବିଶ୍ୱାସ, କୈଳାଶ ନାୟକ, ଅକ୍ଷୟ ତ୍ରିପାଠୀ, ଅସିତ ବରଣ ଦାଶ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଜୀବନବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


