ଦୃଷ୍ଟିହୀନ ଅସହାୟ ସୁଦର୍ଶନଙ୍କ ଝିଅ ବିବାହ ନିମନ୍ତେ ସହଯୋଗର ହାତ ବଢାଇଲା ଯଶୋଦା ଫାଉଣ୍ଡେସନ

ଛତ୍ରପୁର, (ଦେବଦତ୍ତ ମହାରଣା):ବିଭିନ୍ନ ସମୟରେ ବିଭିନ୍ନ ସମାଜସେବା ପାଇଁ ବହୁ ଲୋକ ଆଗେଇ ଆସୁଥିବା ଦେଖିବାକୁ ମିଳିଛି । କିନ୍ତୁ, ଆର୍ଥିକ ସମସ୍ୟା ଲାଗି ଅସହାୟ ଗରିବ ଶ୍ରେଣୀର ଲୋକଙ୍କ ଝିଅ ବିବାହ ପାଇଁ ସହାୟତା କରିବାକୁ ଆଗେଇ ଆସୁଥିବା ଲୋକଙ୍କ ସଂଖ୍ୟା ସମାଜରେ ବହୁତ କମ ଦେଖିବାକୁ ମିଳିଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ । ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଫ ଟ୍ରଷ୍ଟି ସାଗରିକା ପଣ୍ଡା ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଂଚାୟତ ର ତିଆରବସା ଗ୍ରାମର ଦୃଷ୍ଟିହୀନ ଅସହାୟ ସୁଦର୍ଶନ ବେହେରାଙ୍କ ଝିଅ ସଂଯୁକ୍ତା ବେହେରାଙ୍କ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ତିଆରବସା ଗ୍ରାମର ଦୃଷ୍ଟିହୀନ ଅସହାୟ ସୁଦର୍ଶନ ନିଜ ଝିଅର ବିବାହ ପାଇଁ ବହୁ ଦିନ ଧରି ଚିନ୍ତାରେ ରହି ଆସୁଥିଲେ । ଏହାର ଖବର ପାଇ ଯଶୋଦା ଫାଉଣ୍ଡେସନ୍ ର ଟ୍ରଷ୍ଟି ଶ୍ରୀମତି ପଣ୍ଡା କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସଂଯୁକ୍ତାଙ୍କ ବିବାହ ପାଇଁ କିଛି ଉପକରଣ ସାମଗ୍ରୀ ଯୋଗାଇଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଫାଉଣ୍ଡେସନ ପକ୍ଷରୁ ଏପରି ୭ ଜଣ ଅସହାୟ ଝିଅଙ୍କୁ ବିବାହ ନିମନ୍ତେ ସହଯୋଗରେ ହାତ ବଢାଇଥିବା ବେଳେ ଆଜି ଅଷ୍ଟମ ଥର ପାଇଁ ସୁଦର୍ଶନ ବେହେରାଙ୍କ ଝିଅର ବିବାହ ପାଇଁ ଆଗେଇ ଆସିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଏହିପରିପ୍ରେକ୍ଷୀରେ ଶୁକ୍ରବାର ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ଦୃଷ୍ଟିହୀନ ସୁଦର୍ଶନ ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀଙ୍କ ଉପସ୍ଥିତିରେ ତାଙ୍କ ଝିଅ ସଂଯୁକ୍ତାଙ୍କୁ ଏହି ବିବାହ ଉପକରଣସାମଗ୍ରୀ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଦିଗନ୍ତ କେୟାର ର ମୁଖ୍ୟ ସଂଯୁକ୍ତା ପଣ୍ଡା, ଅନ୍ୱେଷା ଅନୁଷ୍ଠାନର ସଭାନେତ୍ରୀ ସରସ୍ୱତୀ ମହାପାତ୍ର, ଛତ୍ରପୁର ଏନଏସିର ୯ନଂ ୱାର୍ଡ କାଉନସିଲର ପ୍ରିତିଛନ୍ଦା ସାମଲ, ୧୦ନଂୱାର୍ଡ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର, ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ସାମାଜିକ କର୍ମୀ ପଙ୍କଜ ପାଣିଗ୍ରାହୀ ଓ ଛତ୍ରପୁର ନଗର ବିଜେଡି ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ଶ୍ରୀମତି ପଣ୍ଡାଙ୍କ ବନ୍ଧୁବାନ୍ଧବ ଓ ପରିବାର ବର୍ଗ ଉପସ୍ଥିତ ରହି ସଂଯୁକ୍ତାଙ୍କ ଉତ୍ତମ ବୈବାହିକ ଜୀବନ କାମନା କରିଥିଲେ । ଶେଷରେ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଂଯୁକ୍ତାଙ୍କ ବିବାହ ନିମନ୍ତେ ସଭାପତି ଦେବାଶିଷ ମିଶ୍ର ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ସାମାଜିକ କର୍ମୀ ପଙ୍କଜ ପାଣିଗ୍ରାହୀ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହା ସହ ଦିଗନ୍ତ ଓ ଅନ୍ୱେଷା ଅନୁଷ୍ଠାନର ମୁଖ୍ୟ ଏବଂ ୯ ନଂ ୱାର୍ଡ କାଉନସିଲର ପ୍ରିତିଛନ୍ଦା ସାମଲ ମଧ୍ୟ ସଂଯୁକ୍ତାଙ୍କୁ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ରେ ଫାଉଣ୍ଡେସନ୍ ର ସୁଦେଷ୍ଣା ଓ ପୁଷ୍ପାଞ୍ଜଳୀ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ