ଜଉକଣ୍ଢେଇ ଲାବଣ୍ୟବତୀ-ଚନ୍ଦ୍ରଭାନୁଙ୍କ ଲଗ୍ନଧାରା ଶେଷ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଲେଶ୍ୱରର ଜଉକଣ୍ଢେଇ ଲାବଣ୍ୟବତୀ-ଚନ୍ଦ୍ରଭାନୁଙ୍କ ବାହାଘର ପାଇଁ ଶୁକ୍ରବାର ଲଗ୍ନଧରା କାର୍ଯ୍ୟକ୍ରମ ବିଧିମତେ ସମ୍ପନ୍ନ ହୋଇଯାଇଛି । ଆସନ୍ତା ୧୪ ତାରିଖରେ ବିବାହ ଉତ୍ସବ ଆରମ୍ଭ ହୋଇ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜିର ଲଗ୍ନଧରାରେ ନିଷ୍ପତ୍ତି ନିଆଯାଇଛି ।ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ କନ୍ୟାଘର ପାତ୍ରପଡ଼ା ସୁନାରି ସାହି ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଳଗ୍ନଧରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବରକର୍ତ୍ତା ଶମ୍ଭୁନାଥ ଦାସ ଓ ତାଙ୍କର ସହଧର୍ମିଣୀ ଅନାମିକା ଦାସ ସହରର ସିନେମାଛକ ସ୍ଥିତ ସିଦ୍ଧିବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସହଯୋଗୀଙ୍କ ସମେତ ବିଧି ଅନୁସାରେ ଭାର ଓ ଆନୁସଙ୍ଗିକ ସାମଗ୍ରୀ ନେଇ ଶୋଭାଯାତ୍ରାରେ କନ୍ୟାଘରକୁ ବାହାରିଥିଲେ । କନ୍ୟାଘର ଲୋକେ ବାବା ଭୂଜାଖିଆପୀର ଛକ ନିକଟରୁ ଶଙ୍ଖ ହୁଳହୋଳି ଦେଇ ସମସ୍ତଙ୍କୁ ପାଛୋଟି ନେଇଥିଲେ ସ୍ୱପ୍ନେଶ୍ୱର ମନ୍ଦରିକୁ । ବାରିକ ସଂଘର ସଂପାଦକ ବିମଳ ବାରିକ ଓ ବ୍ରାହ୍ମଣ ସଂଘର ସଦସ୍ୟ ବିମଳ ପଣ୍ଡା କୂଳ ପୁରୋହିତ ଭାବେ ବୈଦିକ ରୀତିନୀତିରେ ଲଗ୍ନଧରା କର୍ମକାଣ୍ଡ ଶୁଭାରମ୍ଭ କରିଥିଲେ । କନ୍ୟା ମାତା ପିତା ଭାବେ ଜିଲାପରିଷଦ ସଭ୍ୟା ସୋନାଲି ବିଶ୍ୱାଳ ଓ ତାଙ୍କ ସ୍ୱାମୀ ସୁଶାନ୍ତ କୁମାର ବିଶ୍ୱାଳ ଏଥିରେ ଉପସ୍ଥିତ ଥିଲେ । ବର ପିତାମାତା, କନ୍ୟା ପିତାମାତାଙ୍କ ସମେତ ବ୍ରାହ୍ମଣ ଓ ଦୁଇପକ୍ଷର ପରିବାର ଲୋକଙ୍କ ସହମତିରେ ଆସନ୍ତା ୧୫ ତାରିଖରେ ବିବାହ ପାଇଁ ସ୍ଥିର କରାଯାଇଥିଲା । ସେହି ସ୍ୱପ୍ନେଶ୍ୱର ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହେବ ବୋଲି ଉଭୟ ପକ୍ଷ ମତ ଦେଇଥିଲେ । ଏନେଇ ଆସନ୍ତା ୧୪ ତାରିଖ ମଙ୍ଗଳପାକ ଠାରୁ ଆରମ୍ଭ କରି ଚତୁର୍ଥୀ ଅର୍ଥାତ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ସହରର ଆଇଟିଆଇ ପଡ଼ିଆରେ ଉତ୍ସବ ଜାରି ରହିବ । ସେଠାରେ ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଷ୍ଟଲମାନ ମଧ୍ୟ ଖୋଲାଯିବ । ପ୍ରତ୍ୟକ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି ଲଗ୍ନଧରାରେ ସର୍ବସମ୍ମତ୍ତି କ୍ରମେ ଧାର୍ଯ୍ୟ ହୋଇଛି । ତେବେ ଆଜିର ଲଗ୍ନଧରା କାର୍ଯ୍ୟକ୍ରମରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସଭାପତି ସୁବାସିନୀ ଜେନା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର, ଉପ-ସଭାପତି ଅଞ୍ଜଳି ପଣ୍ଡା, ଯୁଗ୍ମ ସମ୍ପାଦକ ରଘୁନାଥ ଲେଙ୍କା ଓ ରାଜେଶ ଗିରି, ବ୍ରହ୍ମନାଥ ରଥ, ଉପଦେଷ୍ଟା କେଶୁ ଦାସ, ଇଂ. ହୃଷୀକେଶ ସାହୁ, ସଭ୍ୟ ଆଲୋକ ସାହୁ, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, ପରେଶ ଦାଶ, ମଧୁସୁଦନ ଦାସ, ମନସ୍ୱିନୀ ଦେବୀ, ଗୋପାଳ ଜେନା, ଲକ୍ଷ୍ମୀନାରାୟଣ ଘୋଷ, ମନୋଜ ଦାସ, ରବୀନ୍ଦ୍ର କୁମାର ସାହୁ, କନକଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । କନ୍ୟାପକ୍ଷର ମୁଖିଆ ମିତ୍ରକାନ୍ତି ବିଶ୍ୱାଳ, ଚିନ୍ମୟ ବିଶ୍ୱାଳ, ପୀତାମ୍ବର ବିନ୍ଧାଣୀ, ମଣି ଚରଣ ଦାସ, ରାକେଶ ମହାନ୍ତି, ରାଜେନ୍ଦ୍ର ରାଉତ, ଗୌର ମୋହନ ମହାନ୍ତି, ହୃଦାନନ୍ଦ ନାୟକ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ନାଏବ ସରପଞ୍ଚ ଜ୍ୟୋତି ପ୍ରକାଶ ହୋତା, ରାମଚନ୍ଦ୍ର ପାଢ଼ୀ, ସୁକାନ୍ତ ସିଂ, ଅସିତ ଦାସ, ଶ୍ରୀଧର ବିନ୍ଧାଣୀ, ଜଗନ୍ନାଥ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ