ମଙ୍ଗଳା ଙ୍କ ମନ୍ଦିର ରେ ଚନ୍ଦନ ଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁରର ମା ମଙ୍ଗଳା ପୀଠ ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ପୀଠଙ୍କ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ସଂସ୍କୃତି ସହିତ ମା ମଙ୍ଗଳା ମନ୍ଦିର ଓତପ୍ରୋତଃ ଭାବେ ଜଡିତ ହୋଇ ରହିଛି। ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ର ନିତିକାନ୍ତି ଏବଂ ପର୍ବ ପର୍ବାଣି ସହିତ ମା ମଙ୍ଗଳାଙ୍କ ମନ୍ଦିରର ନିତିକାନ୍ତି ଏବଂ ପର୍ବପର୍ବାଣୀର ବେଶ କିଛି ସାମଞ୍ଜସ୍ୟ ରହିଛି।ସେହି ସମସ୍ତ ପର୍ବ ମଧ୍ୟରୁ ଚନ୍ଦନ ଯାତ୍ରା ଏକ ପ୍ରସିଦ୍ଧ ଯାତ୍ରା। ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରେ ଦୀର୍ଘଦିନ ଧରି ପାଳିତ ହେଉଥିବା ଯାତ୍ରା ହେଉଛି ଚନ୍ଦନ ଯାତ୍ରା। ପୁରୀ ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳିତ ହେଉଥିବା ବେଳେ ବୈଶାଖ ମାସ ରେ ପାଳିତ ହେଉଥିବା ଏହି ଚନ୍ଦନ ଯାତ୍ରା ହେଉଛି ମା ମଙ୍ଗଳା ଙ୍କ ମନ୍ଦିର ରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ମା ଙ୍କ ମନ୍ଦିର ବେଢା ଭିତର ଦକ୍ଷିଣ ପାର୍ଶ୍ୱରେ ପୂଜା ପାଉଥିବା ପ୍ରଭୁ ରାଧାକୃଷ୍ଣ ଙ୍କ ମନ୍ଦିର ରେ ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପରେ ଆଲଟ ପଡେ, ସେଥିପାଇଁ ଠାକୁର ଙ୍କୁ ଚନ୍ଦନ ଲାଗି କରାଯାଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ର ରୌଦ୍ରତାପ ରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦନ ଯାତ୍ରା କରାଯାଇଥାଏ। ଅକ୍ଷୟ ତୃତୀୟା ଠାରୁ ପ୍ରଭୁ ରାଧା କୃଷ୍ଣ ଙ୍କୁ ସୁସଜ୍ଜିତ ମଣି ବିମାନ ବସାଇ ମଙ୍ଗଳା ମନ୍ଦିର ଠାରୁ ଏକ ଶୋଭାଯାତ୍ରା ରେ ଚନ୍ଦନ ବଜାର ସ୍ଥିତ ପ୍ରାଚୀ ନଦୀ ର ଚନ୍ଦନ ତୁଠ କୁ ନିଆଯାଏ। ସେଠାରେ ପ୍ରଭୁ ଙ୍କ ସ୍ନାନ ନୀତି ନିମନ୍ତେ ଚନ୍ଦନ,କର୍ପୁର,ହଳଦି, ଚୁଆ,କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ,ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତି କରାଯାଏ। ସେହି ଜଳରେ ସ୍ନାନ କରିଥାନ୍ତି ପ୍ରଭୁ ରାଧା କୃଷ୍ଣ ଏବଂ ନଦୀ ରେ ପୁର୍ବରୁ ପ୍ରସ୍ତୁତ ଡଙ୍ଗା ରେ ଚାପ ଖେଳିଥାନ୍ତି। ଚାପ ଖେଳ ପରେ ଶଙ୍ଖ, ଘଣ୍ଟ ଘଣ୍ଟା, ମୃଦଙ୍ଗ, ଖୋଳତାଳ, ମହୁରୀ, ହୁଳହୁଳି ସହ ପ୍ରଭୁ ରାଧା କୃଷ୍ଣ ବ୍ରାହ୍ମଣ, ଗୋପାଳ,ଭୋଇ ସେବାୟତ ଙ୍କୁ ଧରି ମନ୍ଦିର କୁ ବାହୁଡ଼ି ଆସନ୍ତି । ତେବେ ଫେରିବା ବାଟରେ ବିଭିନ୍ନ ସ୍ଥାନରେ ଚାଚେରୀ ଭୋଗ ଖାଇଥାନ୍ତି। ଏହି ପର୍ବ ମୋଟ ୨୨ ଦିନ ଧରି ପାଳିତ ହୋଇଥାଏ। ଶେଷ ଦିନ ହଳଦୀ ପାଣି ଉତ୍ସବ ଅନୁଷ୍ଠିତ ହୋଇଥାଏ।ମା’ଙ୍କର ଏହି ସ୍ୱତନ୍ତ୍ର ଯାତ୍ରା ତଥା ପର୍ବ ସମଗ୍ର ଓଡିଶା ରେ ପ୍ରସିଦ୍ଧି ଲାଭ କରିଛି। ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀ ଠାରୁ ଚାଲି ଆସିଥିବା ଗବେଷକ ମାନେ କୁହନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ