ସୀମାନ୍ତରେ ମୃତ୍ୟୁ ବରଣ କରିଥିବା ୪ ଗୋଟି ହାତୀ ଓଡିଶାର ନା ଆନ୍ଧ୍ରର?
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର କାଟ୍ରାଗଡା ଗ୍ରାମ ନିକଟରେ ଗତକାଲି ୪ ଗୋଟି ହାତୀଙ୍କ ମୃତ ଦେହ ଠାବ ହୋଇଛି. ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି ସ୍ପଷ୍ଟ ହୋଇ ନଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି କାରଣ ବିଦ୍ୟତ ଟ୍ରାନ୍ସଫର୍ମ ନିକଟରେ ହାତୀଙ୍କ ମୃତ ଦେହ ପଡିରହିଛି. ଅପରପକ୍ଷେ ଏହି ମୃତ ହାତୀ ଗୁଡାକ ଓଡ଼ିଶାର ହାତୀ ନା ଆନ୍ଧ୍ରର ହାତୀ ସ୍ପଷ୍ଟ ହୋଇନାହିଁ. ଘଟଣା ସ୍ଥଳରେ ଆନ୍ଧ୍ର ପୋଲିସ ଓ ବନ ବିଭାଗ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି.ମୃତ ହାତୀଙ୍କ ମଧ୍ୟରେ ୨ ଟି ମାଈ ହାତୀ ୨ ଅଣ୍ଡିରା ହାତୀ ରହିଥିବାର ଜଣାପଡିଛି. ପ୍ରକୃତ ତଦନ୍ତ ପରେ ତମାମ ଘଟଣା ଉପରେ ପରଦା ହଟିପାରିବ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି.ଓଡିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ଉପଖଣ୍ଡର ଲଖାରୀ ଜଙ୍ଗଲ ବଣ ହାତୀଙ୍କ ଆବାସସ୍ଥଳୀ ଅଟେ. ଏହି ଲଖାରୀ ଜଙ୍ଗଲ ଅତ୍ୟନ୍ତ ଦୁର୍ଗମ ଓ ଘଞ୍ଚ ହୋଇଥିବାରୁ ହାତୀମାନେ ଏଠାରେ ବାସ କରିଥାନ୍ତି. ପ୍ରତେକ ବର୍ଷ ଏହି ହାତୀ ମାନେ ଗଜପତି ଜିଲ୍ଲା ବିଭିନ୍ନ ଜଙ୍ଗଲ ସମେତ ପଡୋଶୀ କନ୍ଧମାଳ ଜିଲ୍ଲା ଏବଂ ଓଡିଶାର ପଡୋଶୀରେ ଥିବା ଆନ୍ଧ୍ରର ବିଭିନ୍ନ ଜଙ୍ଗଲ ଓ ଜଙ୍ଗଲ ନିକଟବର୍ତ୍ତି ଗ୍ରାମାଞ୍ଚଳ ଆମ୍ବ ତୋଟା ନଦୀ ତଟ ଆଦିରେ ବିଚରଣ କରିଥାନ୍ତି. ଗତ ୨ ବର୍ଷ ଧରି ଗଜପତିର ଲଖାରୀ ଜଙ୍ଗଲର ହାତୀମାନେ କାଶୀନଗର ବନାଞ୍ଚଳର ବିଭିନ୍ନ ଗ୍ରାମ ସମେତ ଆନ୍ଧ୍ରର କେତକ ଜଙ୍ଗଲ ସୀମାବର୍ତ୍ତି ଗ୍ରାମାଚଳଗୁଡିକରେ ବିଚରଣ କରୁଥିବା ନଜର ଥିଲା. ଗତକାଲି ହଟାତ ଏହି ୪ ଗୋଟି ହାତୀର ମୃତଦେହ ଦେଖା ଦେବା ପରେ ଉଭୟ ଆନ୍ଧ୍ର ଓ ଓଡିଶାର ସାଧାରଣଙ୍କ ଠାରେ ପ୍ରଶ୍ନ ଉଠିଛି. ମୃତ ଏହି ୪ ଗୋଟି ହାତୀ ଓଡିଶାର ନା ଆନ୍ଧ୍ରର? ବର୍ତମାନ ଏନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ବନ ବିଭାଗ ଅନୁଧ୍ୟାନ ଜାଣି ରଖିଛନ୍ତି. ଘଟଣା ନେଇ ଆମ ପ୍ରତିନିଧି ପାରଳାଖେମୁଣ୍ଡି ଡିଏଫଓ ଏସ ଆନନ୍ଦ କୁମାରଙ୍କୁ ଦୃଷ୍ଟି ଆକାଶ୍ରଣ କରିବାରେ ସେ କହିଛନ୍ତି ସାଧାରଣତ ପ୍ରତେକ ବର୍ଷ ହାତୀ ମାନେ ନଭେମ୍ବରରୁ ଫ୍ରେବୁୟାରୀ ମାସ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବିଚରଣ କରିଥାନ୍ତି. ଗତ ଏପ୍ରିଲ ମାସ ଠାରୁ ହାତୀଙ୍କ ଏହି ବିଚରଣ ଦୃଶ୍ୟମାନ ହୋଇନାହିଁ. ଗତକାଲି ୪ ଗୋଟି ହାତୀର ମୃତ ଦେହ ଦେଖା ଯିବା ଘଟଣାରେ ହାତୀ ଗୁଡିକ ଓଡିଶାର ନା ଆନ୍ଧ୍ରର ତାହା ସ୍ପଷ୍ଟ ଭାବେ ବର୍ତ୍ତମାନ ସୂଚନା ମିଳିପାରିନାହିଁ. ଆବଶକ୍ୟ ଅନୁଧ୍ୟାନ ଓ ସମୀକ୍ଷା ପରେ ଏନେଇ ସ୍ପଷ୍ଟତା ମିଳିବ.