ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ମାନବ ସେବା ସମିତି ପକ୍ଷରୁ ସ୍ଥାନୀୟ ହରିହର ହାଇସ୍କୁଲ ପରିସରରେ ମହାନ୍ ଦେଶଭକ୍ତ, ଯୋଗଜନ୍ମା ସାଧକ, ଆର୍ତ୍ତ ଜନତାର ଦରଦୀ ବନ୍ଧୁ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମାନବସେବା ସମିତିର କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀମାନେ ପୂଣ୍ୟାତ୍ମାଙ୍କ ଫଟୋଚିତ୍ରକୁ ଧରି ପବିତ୍ର ଋଷିକୁଲ୍ୟା ନଦୀର ଗଣେଶ ଘାଟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନ ପରିସରରେ ଏକ ସ୍ମୃôତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାନବସେବା ସମିତିର ଆବାହକ ଗଣେଶ ରଥ ଅଧ୍ୟକ୍ଷତା କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଙ୍ଗୀତା ସେଣ, ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି, ଶିକ୍ଷାବିତ୍ ଏ.ଯୁଧିଷ୍ଠିର ଦୋରା ଓ ଭବାନୀ ଶଙ୍କର ରଥ ଏବଂ ଦୁର୍ଗାପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ତ୍ୟାଗୀ ଗୋପବନ୍ଧୁଙ୍କ ତ୍ୟାଗର ପଟାନ୍ତର ନାହିଁ ବୋଲି ପ୍ରକାଶ କରି କହିଲେ ଯେ, ପଣ୍ଡିତ ଗୋପବନ୍ଧୁ ଦାସ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଶିକ୍ଷକତାରୁ । ତତ୍କାଳୀନ ଦେଶୀୟ ରାଜ୍ୟ ନୀଳଗିରିର ଏକ ଶିକ୍ଷାନୁଷ୍ଠାନରେ ପ୍ରଧାନଶିକ୍ଷକ ଭାବେ ସେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେଠାରେ କିଛି ଦିନ ରହିବା ପରେ ପୁରୀ ଆସି ଓକିଲାତି କରିଥିଲେ । ତେବେ ସେଥିରେ ତାଙ୍କ ମନ ନଥିଲା । ଓଡିଶା ପ୍ରଦେଶରେ ବସବାସ କରୁଥିବା ଅବହେଳିତ ଲୋକଙ୍କ ପାଇଁ କିଛି କରିବାକୁ ସେ ଚାହୁଁଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଜଣେ ଶିକ୍ଷାପ୍ରେମୀ । ପିଲାଙ୍କ ପାଇଁ ଭଲ ସ୍କୁଲଟିଏ ଖୋଲିବା ତାଙ୍କର ସ୍ୱପ୍ନ ଥିଲା । ସେ ଗୁରୁକୂଳ ଢାଞ୍ଚାରେ ବିଦ୍ୟାଳୟ ଶିକ୍ଷାର ପ୍ରସାର ସପକ୍ଷରେ ମତ ଦେଉଥିଲେ । ନିଜର ଚିନ୍ତାଧାରକୁ ବାସ୍ତବ ରୂପ ଦେବା ଲାଗି ସେ ସାକ୍ଷୀଗୋପାଳର ବକୁଳ ବନରେ ମାତ୍ର ୧୯ଜଣ ଛାତ୍ରଙ୍କୁ ନେଇ ୧୯୦୯ ମସିହା ଅଗଷ୍ଟ ମାସ ୧୨ତାରିଖରେ ସଂପୂର୍ଣ୍ଣ ଗ୍ରାମ୍ୟ ପରିବେଶରେ ଆରମ୍ଭ କରିଥିଲେ ସତ୍ୟବାଦୀ ବନବିଦ୍ୟାଳୟ । ଛାତ୍ରଙ୍କ ମଧ୍ୟରେ ଆଦର୍ଶବାଦର ବିଜରୋପଣ ଓ ଶୃଙ୍ଖଳାଜ୍ଞାନର ପ୍ରସାର ତାଙ୍କର ମୂଳ ଲକ୍ଷ୍ୟ ଥିଲା । ସାହିତ୍ୟ, ଶିକ୍ଷା, ସେବା, ସଂସ୍କୃତି, ଭାଷା ସୁରକ୍ଷା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପୂଣ୍ୟାତ୍ମା ଉତ୍କଳମଣି ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଯୁଗେ ଯୁଗେ ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇରହିବ ବୋଲି ଉପସ୍ଥିତ ବକ୍ତାମାନେ ପ୍ରକାଶ କରିବା ସହ ଆମେ କେବଳ ଗୋପବନ୍ଧୁଙ୍କୁ ମଝି ମଝିରେ ମନେ ପକାଇଲେ ହେବନି, ବରଂ ସମସ୍ତେ ଆଜିର ଦିନରେ ଶପଥ ନେବା ସମାଜରେ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ନିଜ ସ୍ୱାର୍ଥକୁ ପଛରେ ପକାଇ ସମାଜ ଓ ରାଷ୍ଟ୍ରର ପ୍ରଗତିରେ ନିଜକୁ ଉତ୍ସର୍ଗ କଲେ ଏହା ହିଁ ସେହି ମହାମନୀଷୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରାଦ୍ଧାଞ୍ଜଳି ହେବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୫ ଜଣ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ବିଶିଷ୍ଠ ଜନନାୟକ, ସାମ୍ବାଦିକ, ମହାନ୍ ଦେଶଭକ୍ତ, ସେବା, ଦରଦୀ ମଣିଷର ବନ୍ଧୁ ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋଦିବସ ପାଳନ ଅବସରରେ ମାନବସେବା ସମିତି ପକ୍ଷରୁ ଆସିକା ଅଞ୍ଚଳର ଦୀନଦୁଃଖୀଙ୍କୁ ଅନ୍ନଯଜ୍ଞରେ ଆପ୍ୟାୟିତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ମାନବ ସେବା ସମିତିର ଆବାହକ ଗଣେଶ ରଥ, ଆଧ୍ୟାତ୍ମିକପ୍ରେମୀ ବିଜୟ କୁମାର ଜେନା, ଦିଲୀପ କୁମାର ପାଣିଗ୍ରାହୀ, ବିଦେଶୀ ନାହାକ, ଆର୍.କାମେଶ୍ୱର ଆଚାରୀ, ସୁଶିଲ୍ ମୋହନ ପାତ୍ର, ପଞ୍ଚାନନ ଶତପଥୀ, ପ୍ରିତ୍ବାସ ମୁନି, ମନୋଜ କୁମାର ମିଶ୍ର, ପ୍ରସନ୍ନ କୁମାର ପାଣିଗ୍ରାହୀ, ରାମଚନ୍ଦ୍ର ରା, ଡି.ବଦ୍ରିନାଥ ପାତ୍ର, ସତ୍ୟପ୍ରିୟ ରଥ, ପିତବାସ ମହାପାତ୍ରଙ୍କ ସମେତ ବହୁ ସମାଜସେବୀ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିିଜିବୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


