ଶ୍ରୀ ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ଆସିକା (ୱାଇଏନ୍ଏସ୍): ମହାପ୍ରଭୁଙ୍କ ଅଣସରବାସ ଶେଷ ହୋଇଛି । ଜଗତସାଇଁଙ୍କୁ ମଙ୍ଗଳବାର ନବଯୌବନ ବେଶରେ ଦର୍ଶନ କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ ଭକ୍ତ । ଶ୍ରୀବିଗ୍ରହ ମାନଙ୍କ ନବଯୌବନ ବେଶକୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନେ ଆତ୍ମତୃପ୍ତି ଲାଭ କରିଛନ୍ତି । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ସୁଗନ୍ଧିତ ସୁବାସିତ ଜଳରେ ସ୍ନାନ କରି ଜ୍ୱାରାକ୍ରାନ୍ତ ହେବା ପରେ ଦୀର୍ଘ ୧୫ ଦିନ ଅଣବସରରେ ରହି ମହାପ୍ରଭୁ ସୁସ୍ଥ ହୋଇଥିଲେ । ବିଶ୍ୱନିୟନ୍ତା କାଳିଆ ଠାକୁର ବଡଭାଇ ଶ୍ରୀ ବଳଭଦ୍ର, ସାନ ଭଉଣୀ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ନବଯୌବନ ବେଶ ଦେଖିବା ଲାଗି ଆସିକା ପୌର ପରିଷଦ ଅଧିନସ୍ଥ ବଜାର ସାହି ଜଗନ୍ନାଥ ମନ୍ଦିର, ଖମ୍ବେଶ୍ୱରୀ ପାଟଣା ଜଗନ୍ନାଥ ମନ୍ଦିର, ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିର, କାଳଷଣ୍ଢପୁର ଗ୍ରାମ ଜଗନ୍ନାଥ ମନ୍ଦିର, ନଳବଣ୍ଟା ଜଗନ୍ନାଥ ମନ୍ଦିର, ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି, ହରିବୋଲ, ଘଣ୍ଟନାଦ, କାହାଳୀ, ଜୟ ଜଗନ୍ନାଥ ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍.ସୁଜିତ୍ କୁମାର ପୃଷ୍ଟି, ସଦସ୍ୟ ଦିଲୀପ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ସମେତ ସମବାୟ ଚିନିଶିଳ୍ପର ବହୁ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଚିନିଶିଳ୍ପ ନୂଆଗାଁ ସ୍ଥିତ ଜଗନ୍ନାଥ ମନ୍ଦିରର ମୂଖ୍ୟ ପୂଜକ ଲମ୍ବୋଦର ପଣ୍ଡା ଓ ଶରତ ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା ବେଳେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଲାଗି ଜଗନ୍ନାଥ ମନ୍ଦିର ପରିସର ଲୋକାରଣ୍ୟ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ମଙ୍ଗଳବାର ନବଯୌବନ ରୂପରେ ଝଟିକିଥିଲେ କୋଟି କୈବଲ୍ୟନାଥ । ଶ୍ରଦ୍ଧାଳୁ ଭକ୍ତମାନେ ବ୍ରହ୍ମାଣ୍ଡକର୍ତ୍ତାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଭାବବିହ୍ୱଳିତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।


