ନିମ୍ନମାନର କାମ ଅଭିଯୋଗ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା-ମୋଟାବାଡ଼ି-ଆମ୍ବପୁଆ ରାସ୍ତା ପ୍ରାୟ ୧୮ କିମି ହୋଇଥିବା ବେଳେ ବୁଗୁଡା ବ୍ଲକରେ ମୋଟାବାଡି ପର୍ଯ୍ୟନ୍ତ ପ୍ରାୟ ୧୦ କିମି ରାସ୍ତା ଥିବାବେଳେ ଅବଶିଷ୍ଟ ଆମ୍ବପୁଆ ପର୍ଯ୍ୟନ୍ତ ରାସ୍ତା ବେଲଗୁଣ୍ଠା ବ୍ଲକରେ ଅବସ୍ଥିତି। ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଦୁଇ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ବେଳେ ନିନ୍ମମାନର କାର୍ୟ୍ୟ ଯୋଗୁଁ ଏକ ବର୍ଷ ମଧ୍ୟରେ ରାସ୍ତା ଅତ୍ୟନ୍ତ ଖରାପ ହୋଇଗଲାଣି। ୫ ବର୍ଷ ପର୍ଯ୍ୟନ୍ତ ଠିକାଦାର ରାସ୍ତା ମରାମତି କରିବା ନିୟମ ଥିବାବେଳେ ଖାଲଖଣାରେ ମୋରାମ ଗଣ୍ଡେ ଛିଞ୍ଚି ଦେଇ କାମ ଚଳାଇ ଦେବାକୁ ଚେଷ୍ଟା ଚାଲିଛି।ରାସ୍ତା ବର୍ତ୍ତମାନ ଯେଉଁ ପ୍ରକାର ଖରାପ ହୋଇଛି ତାହା ପୁନର୍ବାର ପିଚୁ କାମ କରିବା ନିହାତି ଦରକାର। ବୁଗୁଡ଼ାରୁ ଭଞ୍ଜନଗର ଯିବାକୁ ହେଲେ ବାଲିପଦର ଦେଇଗଲେ ୪୦ କିମି ହେଉଥିବା ବେଳେ ବୁଗୁଡା-ଆମ୍ବପୁଆ ରାସ୍ତାରେ ଗଲେ ମାତ୍ର ୨୬ କିମି ହେଉଅଛି। ତେଣୁ ପ୍ରତିଦିନ ଶହ ଶହ ଗାଡି ଏହି ରାସ୍ତାଦେଇ ଯାତାୟତ କରେ। ତୁରନ୍ତ ଏହି ରାସ୍ତାକୁ ପୁନର୍ବାର ପିଚୁ ପକାଇ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି।