ଭବାନୀପାଟଣା ପୌରପାଳିକାରେ ଦିନକୁ ଦିନ ବଢୁଛି ଦୁର୍ନୀତି

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପରିଷଦ ରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଥିବା ନେଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ଏହି ପୌରପାଳିକାରେ କିଛି ଦିନ ତଳେ ପ୍ରାୟ ୯ କୋଟି ଟଙ୍କା ର ଟେଣ୍ଡର ଦୁର୍ନୀତି ଅଭିଯୋଗ ପାରେ ଏହା ବାତିଲ ହେବା ଭଳି ଅଭିଯୋଗ ହୋଇଥିବା ବେଳେ ମନଇଛା ଠିକା କାମ କିଛି ନିର୍ଦିଷ୍ଟ ଠିକାଦାର ଙ୍କୁ ଦେବା ନେଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଏହାଛଡା ପୌର କର୍ତ୍ତୃପକ୍ଷ ମନଇଛା ଦୋକାନ ବଣ୍ଟନ ଓ ବିନା କାଉସିଲ ରେ ମନଇଛା ଦୋକାନ ଓ ଜାଗା ବଣ୍ଟନ ଭଳି ଗୁରୁତର ଅଭିଯୋଗ ମାନ ଆସିଛିl ପୋୖରାଅଞ୍ଚଳ ବିକାଶ, ମହିଳା ସଶକ୍ତିକରଣ ଓ ଦିନ ମଜୁରିଆଙ୍କୁ ରୋଜଗାର ଯୋଗେଇବା ପାଇଁ ମୁକ୍ତା ଯୋଜନା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ଆରମ୍ଭ କରାଯାଇଛି। ହେଲେ ଏହି ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପୌରପାଳିକା ଓ ବିଜ୍ଞାପିତ ଅଂଚଳର ସାମଗ୍ରିକ ବିକାଶ ପାଇଁ ଉସର୍ଗ ଥିବା ବେଳେ ଭବାନୀପାଟଣା ପୌରପାଳିକାର ବେପାରୁଆ ଠିକାଦାର ପୋଷା ନୀତି ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଠୀ ଆଳରେ ମହା ଦୁର୍ନୀତି ଏବେ ବାଟରୁ ଯାଇ ହାଟରେ ଗଡୁଛି।ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ନାଁରେ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇଥିବା ବେଳେ ଆଖିଦୃଶିଆ ନିର୍ମାଣ କାର୍ଯ୍ୟ ହୋଇ ନ ଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପଟେ ଏହି ଯୋଜନା ସମ୍ପର୍କିତ ତଥ୍ୟକୁ ସୂଚନା ଅଧିକାର ଆଇନରେ ସାର୍ବଜନୀନ କରିବା ପରିବର୍ତ୍ତେ ଗୋପନୀୟତା ଓ ବ୍ୟକ୍ତିଗତ ତଥ୍ୟର ଆଳ ଦେଖାଇ ସୂଚନା ଅଧିକାର ଆଇନକୁ ବାଟବଣା କରୁଥିବାର ସଙ୍ଗିନ ଅଭିଯୋଗ ମଧ୍ୟ ହେଉଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଭବାନୀପାଟଣା ପୌରପାଳିକାର ୨୦ ଟି ୱାର୍ଡ଼ ମଧ୍ୟରେ ମୁକ୍ତା ଯୋଜନାରେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୨ କୋଟି ୮୯ ଲକ୍ଷ ୫୬ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଭବାନୀପାଟଣା ପୌରପାଳିକା ପକ୍ଷରୁ ୨୦ ଟି ୱାର୍ଡର ବିଭିନ୍ନ ଜାଗାରେ ୬୨୩ ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ମୋଟ ୩ କୋଟି ୨ ଲକ୍ଷ ୭୩ ହଜାର ୯୯୫ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରକଳ୍ପ ପରିଚାଳନା ଯଦି ବା ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ହେଉଥିବା କଥା ସୂଚନା ମିଳୁଥିଲେ ମଧ୍ୟ ଏଠି କୁଜି ଠିକାଦାରଙ୍କ ସିଧାସଳଖ ସମ୍ପୃକ୍ତି ଯୋଗୁଁ ଅଧାରୁ ଅଧିକ ପ୍ରକଳ୍ପ ଫେଲ ମାରିଥିବା ବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ବର୍ଷେ ନ ପୁରୁଣୁ ଭାଙ୍ଗିରୁଜି ପଡିଥିବା ଦେଖିବାକୁ ମିଳୁଛି। ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣରେ ଜାଗା ଚିହ୍ନଟରେ ଅବ୍ୟବସ୍ଥା,ନିର୍ମାଣ ପରେ ରକ୍ଷଣାବେକ୍ଷଣ ଅଭାବ ଓ ପୌରପାଳିକାର ଦୂରଦୃଷ୍ଟି ଅଭାବ,କାର୍ଯ୍ୟପାରିଚାଳନାରେ ଅନୁଭୁତିର ଅଭାବ ଓ ବେପାରୁଆ ପ୍ରଶାସନ ଓ ଲାଭଖୋରି ଠିକା ସଂସ୍ଥାର ସମ୍ପୃକ୍ତି ଯୋଗୁଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ଠିକାଦାର ପୋଷା ଯୋଜନାରେ ପରିଣତ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ଅନୁଦାନ କୁ ଧୂଳି ମାଟି ଭଳି ଖର୍ଚ୍ଚ କରିଥିବା ବେଳେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ କାର୍ଯ୍ୟାଳୟ ଗୋପନୀୟତା ଓ ତୃତୀୟ ପକ୍ଷର ବ୍ୟକ୍ତିଗତ ତଥ୍ୟ କହି ସୂଚନା ଅଧିକାର କର୍ମୀଙ୍କୁ ଭୁଆଁ ବୁଲାଉଥିବାର ସଙ୍ଗିନ ଅଭିଯୋଗ ଆସିଛି ପୌରପାଳିକା ବିରୁଦ୍ଧରେ.ଏ ନେଇଁ କଳାହାଣ୍ଡି ଜିଲ୍ଲାପାଳ ପି ଅନେଶ୍ୱା ରେଡ୍ଡୀ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ