ଶ୍ରୀ’ମା ଦିବ୍ୟ ସ୍ୱରୂପାନନ୍ଦଙ୍କ ଦ୍ୱାରା ବିନୋଦବିହାରୀ ମନ୍ଦିର ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀ’ମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆଇତିପୁରସ୍ଥିତ ଶ୍ରୀ ବିନୋଦବିହାରୀଙ୍କ ମନ୍ଦିରର ଶୁଭଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଉଦଘାଟନ ପରେ ଅନୁଷ୍ଠିତ ସତସଙ୍ଗ କାର୍ଯ୍ୟକ୍ରମରେ ସେହି ଗ୍ରାମ ଓ ଆଖପାଖ ଗ୍ରାମଗୁଡିକର ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀ’ମା ଦୈନନ୍ଦିନ ଜୀବନ ଦର୍ଶନରେ ରାଧାଗୋବିନ୍ଦ ଏବଂ ବିନୋଦବିହାରୀଙ୍କୁ ସକାଳ ଓ ସନ୍ଧ୍ୟାରେ ସମସ୍ତେ ପ୍ରାର୍ଥନା କରିବା ଉଚିତ ବୋଲି କହିଥିଲେ । ଏଥିସହିତ ଗ୍ରାମରେ ବୃକ୍ଷରୋପଣ କରିବା, ସ୍ୱଛତାରକ୍ଷା ଏବଂ ସେବା ମନୋଭାବକୁ ଜାଗ୍ରତ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଲେ ଜୀବନରେ ପରିବର୍ତ୍ତନ ଆସିବ ବୋଲି ମା’ପରାମର୍ଶ ଦେଇଥିଲେ । ଏହାବ୍ୟତିତ ଭାଇଚାରା ସୃଷ୍ଟି ହୋଇ ସମାଜର ମଙ୍ଗଳ ହୋଇପାରିବ ବୋଲି ଶ୍ରୀ’ମା କହିଥିଲେ । ପରେ କନ୍ତିଆ ମଠର ମହନ୍ତ ସିଦ୍ଧାର୍ଥଶଙ୍କର ଦାସ, ଓଳାଶୁଣୀଗୁମ୍ଫା ମହନ୍ତ ଓ ଅନ୍ୟ ସାଧୁମାନେ ଭାଗବତର ମହିମା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମର ପ୍ରତାପ କୁମାର ଦାସ, ଅରୁଣ ସାମନ୍ତରାୟ, ରଞ୍ଜିତା ମହାନ୍ତି, ରୁଦ୍ର ପ୍ରସାଦ ସାମନ୍ତରାୟ, ଉମେଶ ସାମନ୍ତରାୟ ଓ କଲ୍ୟାଣୀ ସାମନ୍ତରାୟଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ସହଯୋଗ କରିଥିଲେ ।


