କନ୍ଦଳେଇ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ଆୟୋଜିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜଧାନୀ ଉପକଣ୍ଠ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, କନ୍ଦଳେଇ ଠାରେ ବୁଧବାର ଆୟୋଜିତ ହୋଇଛି ବିଦ୍ୟାଳୟର ଚତୁର୍ଥ ବାର୍ଷିକ ସମାରୋହ । ଏଥିରେ ବହୁ ସମାଜିକ କର୍ମୀ, ବିଦ୍ୟାର୍ଥୀ, ଅଭିଭାବକ ଯୋଗଦାନ କରି ବିଦ୍ୟାଳୟର ଅତୀତ ସ୍ମୃତି ରୋମନ୍ଥିତ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟର ଭବିଷ୍ୟତ ନେଇ ଆଲୋକପାତ କରିଛନ୍ତି । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିନ୍ଧ୍ୟଗିରିର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାରଣା ଯୋଗଦେଇ ନିଜ ବକ୍ତବ୍ୟରେ ବିଦ୍ୟାଳୟଟିଏ ନିଜର ବାର୍ଷିକ ଉତ୍ସବ ପାଳନ ଜରିଆରେ କିଭଳି ତାର ମୂଲ୍ୟାଙ୍କନ କରିବାକୁ ସକ୍ଷମ ହୋଇପାରିଥାଏ ସୂଚାଇଥିଲେ । ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକଙ୍କ ଅବଦାନ ରହିଲେ ହିଁ ବିଦ୍ୟାଳୟ ଏକ ସାର୍ଥକ ମଣିଷ ଗଢା କାରଖାନା ଟିଏ ହୋଇପାରିବ । ନୂଆଦିଲ୍ଲୀସ୍ଥିତ ପ୍ରମୁଖ ସାମାଜିକ ସଂଗଠନ ‘ଆଶ୍ରା’ର ଉଦ୍ୟମରେ ପ୍ରତିବର୍ଷ ଏହି ଆଦିବାସୀପଲ୍ଲୀର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହେଉଥିବା ସୂଚନା ପ୍ରଦାନ କରାଯାଥିଲା । ଗତ ଫନି ବାତ୍ୟାରେ ବିଦ୍ୟାଳୟ ଭାଙ୍ଗିରୁଜି ଯିବା ପରେ ‘ଆଶ୍ରା’ ପକ୍ଷରୁ ତୁରନ୍ତ କିଭଳି ଏହା ସଜଡ଼ା ଯାଇ ଶୈକ୍ଷିକ ପରିବେଶ ତିଆରି କରାଗଲା ତାହା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ସୂଚାଇଥିଲେ । ବିଦ୍ୟାଳୟର ଶିକ୍ଷକ ସୁବାସ ଓଝା, ସ୍ୱେଚ୍ଛାସେବୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତରାୟ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଶ୍ୟାମ ଗାଗରାଇ, ଗାଁ ମୁରବୀ ମଦନ ଚାତାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।