ଜିଲାରେ ଗଡ଼ିଲା ଶିଶୁଶ୍ରମିକ ଉଚ୍ଛେଦ ସଚେତନତା ରଥ
ବାଲେଶ୍ୱର, (ସରୋଜ ପଣ୍ଡା):ଶିଶୁଶ୍ରମିକ ବିଭାଗ ପକ୍ଷରୁ ବୁଧବାର ଶିଶୁ ଶ୍ରମିକ ଉଚ୍ଛେଦ ସଚେତନତା ରଥ ଗଡ଼ିବା ଶୁଭାରମ୍ଭ କରିଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିବା ସହିତ ଏହିଭଳି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶିଶୁ ଶ୍ରମିକ ନିୟୋଜନ ବିରୋଧୀ ଆଇନ କଡ଼ାକଡ଼ି କରିବା ଓ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକଙ୍କ ପୁନର୍ବାସ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଏହି ରଥ ସମଗ୍ର ଜିଲ୍ଲାରେ ଜନସାଧାରଣଙ୍କୁ ସଚେତନ କରିବ ବୋଲି ସେ କହିଥିଲେ । ଶିଶୁ ଶ୍ରମିକଙ୍କୁ ଉଦ୍ଧାର ସହ ସେମାନଙ୍କ ଶିକ୍ଷା ଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲାଗାଉଥିବା ବ୍ୟକ୍ତି ଓ ପ୍ରତିଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ଚେତାବନୀ ଦେଇଥିଲେ । ଖଣ୍ଡ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନ ଏଥିରେ ଯୋଗଦେଇ ଜିଲାକୁ ଶିଶୁ ଶ୍ରମିକ ମୁୁକ୍ତ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ଏହି ସଚେତନତା ରଥ ଉଦଘାଟନ କାର୍ଯ୍ୟକ୍ରମରେ ପୌରହିତ୍ୱ କରିଥିଲେ । ଏହି ରଥ ଜିଲାର ୪ଟି ବ୍ଲକ ସହ ପୌରପାଳିକା ଓ ଏନଏସି ଗୁଡିକ ପରିକ୍ରମା ସହିତ ଜନ ସାଧାରଣଙ୍କୁ ସଚେତନ କରିବ ବୋଲି ବିଭାଗ ପକ୍ଷରୁ ଦୂଚନା ଦିଆଯାଇଛି । ଜିଲା ସହକାରୀ ଶ୍ରମ ଅଧିକାରୀ ଦୀପ୍ତିରଞ୍ଜନ ସାହୁ, ନୀଳଗିରି ସହକାରୀ ଶ୍ରମ ଅଧିକାରୀ ଯଶୋବନ୍ତ ଅମାତ, ସଦର ସହକାରୀ ଶ୍ରମ ଅଧିକାରୀ ଶ୍ରୀହରି ଶୟନ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଖଣ୍ଡ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ, ବିକାଶ ଦାସଙ୍କ ସମେତ ବହୁ ଶ୍ରମିକ ନେତା ଏହି ଉଦଘାଟିନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


