୧୨ରେ ଗଣ ବିକ୍ଷୋଭ କରିବ ମିଳିତ ବିରୋଧୀ ମଞ୍ଚ
ବାଲେଶ୍ୱର, (ସରୋଜ ପଣ୍ଡା):ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣାର ମୃତାହତଙ୍କ ଉଦ୍ଧାରଠାରୁ ଅନୁକମ୍ପାରାଶି ପ୍ରଦାନ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ରାଜନୈତିକ ଦଳର ମିଳିତ ମଞ୍ଚ । ଦୁର୍ଘଟଣା ଓ ପରବର୍ତ୍ତୀ ସମୟର ବିଭିନ୍ନ କାର୍ଯ୍ୟ ପରିଚାଳନାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇବା ସହ ଆସନ୍ତା ୧୨ତାରିଖରେ ବାଲେଶ୍ୱର ରେଳ ଷ୍ଟେସନ ପରିସରରେ ଗଣ ବିକ୍ଷୋଭ ପାଇଁ ମିଳିତ ମଞ୍ଚର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାମପନ୍ଥୀ ନେତା ତଥା ଆଇନଜୀବୀ ଭାଗବତ ପ୍ରତିହାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କଂଗ୍ରେସ ଜିଲା ସଭାପତି ସଂଜୀବ ଗିରି, ସିିପିଆଇଏମ ଜିଲା ସମ୍ପାଦକ ଶିଶିର ହୁଇ, ଆପ ଜିଲା ସମ୍ପାଦକ ନିକୁଞ୍ଜ କୁମାର ମହାନ୍ତି, ଫରୱାର୍ଡ ବ୍ଲକ ନେତା ସର୍ବେଶ୍ୱର ମିଶ୍ର, ନିର୍ମଳ ନାୟକ, ପ୍ରେମ ରଞ୍ଜନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ବିଜୟ ପାତ୍ର, ପ୍ରଶାନ୍ତ ରାୟ, ଚାଷୀ ମୂଲିଆ ନେତା ଅରୁଣ ଜେନା, ଲକ୍ଷ୍ମୀଧର ଗିରି ପ୍ରମୁଖ ଯୋଗଦେଇ ପ୍ରସ୍ତାବିତ ଆନ୍ଦୋଳନର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସିବିଆଇ ଟିମକୁ ତଦନ୍ତରୁ ପ୍ରତ୍ୟାହ୍ୟାର କରିବା, ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ମାଧ୍ୟମରେ ତଦନ୍ତ ଆରମ୍ଭ କିରବା, ନିରପେକ୍ଷ ତଦନ୍ତ ପାଇଁ ନୈତିକତା ଦୃଷ୍ଟିକୋଣରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା, ସମସ୍ତ ମୃତକଙ୍କ ଫୋଟ ସହିତ ନାମ ତାଲିକା ସାର୍ବଜନୀନ ଭାବେ ବିଭିନ୍ନ ଭାଷାର ଦୈନିକ ଖବର କାଗଜରେ ପ୍ରକାଶ, ମୃତକଙ୍କ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ, ପ୍ରତ୍ୟେକ ମୃତକ ପରିବାରକୁ ତୁରନ୍ତ ୫୦ଲକ୍ଷ ଟଙ୍କା ଆର୍ଥିକ ସହାୟତା, ସମସ୍ତ ଆହତମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ, ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ, ପ୍ରତ୍ୟେକ ମୃତକ ଓ ଗୁରୁତର ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପରିବାରର ଜଣେ ସଦସ୍ୟଙ୍କୁ ରେଳ ବିଭାଗରେ ନିଯୁକ୍ତି ପ୍ରଦାନ ସହିତ ରେଳ ବିଭାଗରେ ଖାଲି ପଡ଼ିଥିବା ୩ଲକ୍ଷ ୧୨ହଜାର ପଦବୀ ଅବିଳମ୍ବେ ପୂରଣ ପ୍ରଭୃତି ଦାବି ସମ୍ପର୍କରେ ଏହି ଆଲୋଚନା କରାଯାଇଥିଲା । ଏଥି ସହିତ ରେଳ ଭିତ୍ତିଭୂମିର ବିକାଶ, ଯୁଦ୍ଧକାଳୀନ ଭିତ୍ତିରେ ରେଳଧାରଣା ମରାମତି, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ \”କବଚ’ ବ୍ୟବହାର, ଘରୋଇକରଣ ପ୍ରକ୍ରିୟା ବନ୍ଦ, ରେଳଯାତ୍ରା ସମୟରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ ପ୍ରଦାନ ପ୍ରଭୃତି ଦାବିରେ ଆସନ୍ତା ୧୨ ତାରିଖ ଗଣ ବିକ୍ଷୋଭ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ନ୍ଦାଳନର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ବିଭିନ୍ନ ଦଳର ନେତାମାନେ କହିଥିଲେ । ଏହି ଅବସରରେ ମିଳିତ ବିରୋଧି ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ନେତାମାନେ ସୂଚନା ଦେଇଥିଲେ ।


