ଓଡ଼ିଶାରେ ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ବ୍ୟାନ୍‌ କରାଯାଉ

ପୁରୀ, (ଯୁଗାବ୍ଦ ନ୍ୟୁଜ):‘ଆଦିପୁରୁଷ’ ଚଳଚ୍ଚିତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ମହାବୀର ହନୁମାନ ଏବଂ ରାବଣଙ୍କ ଚରିତ୍ରକୁ କଦର୍ଥ ଭାବେ ଚିତ୍ରଣ କରାଯାଇ ଅପମାନିତ କରାଯାଇଛି ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଏହି ଚଳଚ୍ଚିତ୍ରକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଚଳଚ୍ଚିତ୍ରର ଲେଖକ ମନୋଜ ମୁନ୍ତାସିର୍‌ ଶୁକ୍ଳା ଓ ନିର୍ଦ୍ଦେଶକ ଓମ୍‌ ରାଉତଙ୍କୁ ଗିରଫ ଦାବିରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଆଦିପୁରୁଷ ଚଳଚ୍ଚିତ୍ରରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଶ୍ରୀହନୁମାନଙ୍କ ଚରିତ୍ରକୁ କଦର୍ଥ କରି ଚିତ୍ରିତ କରାଯାଇଛି। ଏହା କୋଟି କୋଟି ସନାତନ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। କେବଳ ଟଙ୍କା ରୋଜଗାର ଉଦ୍ଦେଶ୍ୟରେ ଲେଖକ ଏବଂ ନିର୍ଦ୍ଦେଶକ ଏପରି ବିଧର୍ମୀ ସିନେମା ତିଆରି କରିଛନ୍ତି। ଏହା ପଛରେ ଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ସହ ଓଡ଼ିଶାରେ ଏହି ଚଳଚ୍ଚିତ୍ରକୁ ବ୍ୟାନ୍‌ ଘୋଷଣା କରାଯାଉ। ସିନେମାର ଲେଖକ ଓ ନିର୍ଦ୍ଦେଶକଙ୍କୁ ଧାରା ୨୯୫, ୨୯୫(ଏ), ୨୯୬, ୨୯୮, ୧୨୦ (ବି) ଏବଂ ୩୪ ଆଇପିସିରେ ତୁରନ୍ତ ଗିରଫ କରାଯିବାକୁ ପଟ୍ଟନାୟକ ଦାବି କରିଛନ୍ତି। ଯଦି ଅଭିଯୁକ୍ତଙ୍କୁ ଗିରଫ କରା ନ ଯାଏ ତେବେ ଆଗକୁ ଆନ୍ଦୋଳନ ଜୋରଦାର କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ପଟ୍ଟନାୟକ କହିଛନ୍ତି। ବିକ୍ଷୋଭ ବେଳେ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ପୋଷ୍ଟରରେ କଳା ବୋଳି ଝାଡୁ ମାଡ଼ ସହ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ