ବୃକ୍ଷରୋପଣ ଓ ବୃକ୍ଷବଣ୍ଟନ କରି ବିବାହ ବାର୍ଷିକୀ ପାଳନ କଲେ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ପତ୍ନୀ ଅନୁପମା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ତାଙ୍କ ପତ୍ନୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ରବିବାର ଦିନ ବୃକ୍ଷରୋପଣ, ବୃକ୍ଷ ବଣ୍ଟନ, ବୃଦ୍ଧାଶ୍ରମରେ ନବବସ୍ତ୍ର ପ୍ରଦାନ ଓ ୬ନମ୍ବର ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରି ନିଜର ୨୯ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ସର୍ବପ୍ରଥମେ ଗ୍ଲୋରିୟସ ଫାଉଣ୍ଡେସନ ଡୁମୁଡୁମା ପକ୍ଷରୁ ଆୟୋଜିତ ଏକ ବୃକ୍ଷରୋପଣ ଉତ୍ସବ ଓ ସ୍ୱାସ୍ଥ୍ୟସେବା ଶିବିରରେ ଡଃ ଶ୍ରୀଚନ୍ଦନ ଓ ପତ୍ନୀ ଅନୁପମା ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ, ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା, ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଆଦି ଦୈବି ଦୁର୍ବିପାକରୁ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତକୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଏକ ଶ୍ରେଷ୍ଠ ମାଧ୍ୟମ । ତେଣୁ ଆଜି ଏହି ଦମ୍ପତ୍ତି ବିବାହ ବାର୍ଷିକୀକୁ ବୃକ୍ଷରୋପଣ ଓ ବୃକ୍ଷ ବଣ୍ଟନ କରି ପାଳନ କରିଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ଏଥିରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ସମ୍ମାନିତ ଅତିଥି ଯୋଗଦାନ କରିଥିବା ବେଳେ ଗ୍ଲୋରିୟସ ଫାଉଣ୍ଡେସନର ସଭାପତି କଲ୍ୟାଣୀ ପଟ୍ଟନାୟକ, ସମ୍ପାଦକ ତୃପ୍ତି ମିଶ୍ର ଓ ଟ୍ରଷ୍ଟି ସୁମିତ୍ରା ଆଚାର୍ଯ୍ୟ, ଆରୋମିରା ସ୍କୁଲ୍ର ପ୍ରିନ୍ସପାଲ ଦୀପାଲୀ ପଲାଇ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ଏହି ସ୍ୱାସ୍ଥ୍ୟସେବା ଶିବିରକୁ ପରିଚାଳନା କରିଥିଲେ । ସେମାନେ ଡଃ ଶ୍ରୀଚନ୍ଦନ ଦମ୍ପତ୍ତିଙ୍କ ଉଦ୍ଦେଶ୍ୟରେ ମଧ୍ୟ କେକ୍ କାଟି ଅଭିନନ୍ଦନ ଜଣାଇଥିଲେ ।ସେହିପରି ଡଃ ଶ୍ରୀଚନ୍ଦନ ଓ ପତ୍ନୀ ଅନୁପମା ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏକ ପିଜୁଳି ବୃକ୍ଷ ଉପହାର ପ୍ରଦାନ କରିଥିଲେ । ଏଥିସହିତ ପ୍ରାୟ ବିଭିନ୍ନ ସ୍ଥାନରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଏକ ହଜାର ବୃକ୍ଷ ବଣ୍ଟନ କରାଯିବା ସହ ଏକ ହଜାର ବୃକ୍ଷରୋପଣ କରାଯାଇଥିଲା । ଅନୁରୂପ ଭାବରେ ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ନବବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଏବଂ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା । ପ୍ରେରଣା ଗ୍ରୀନ ଆର୍ମିର ସଦସ୍ୟ ସଦସ୍ୟାମାନେ ଡଃ ଶ୍ରୀଚନ୍ଦନଙ୍କ ବିବାହ ବାର୍ଷିକୀ ଅବସରରେ ସାରା ରାଜ୍ୟରେ ବୃକ୍ଷରୋପଣ କରି ତାଙ୍କୁ ବିବାହ ବାର୍ଷିକୀ ଅଭିନନ୍ଦନ ଜଣାଇଥିଲେ ।


