କେ ବାଲିପାଳ ପଞ୍ଚାୟତରେ ୨ମାସର ପିଡିଏସ ଚାଉଳ ଗାଏବ ଘଟଣା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ୭ଟି ୱାର୍ଡର ହିତାଧିକାରୀଙ୍କ ଦୁଇ ମାସର ଚାଉଳ ଗାଏବ ହେବା ଘଟଣା ଦୈନିକ ସମ୍ବାଦରେ ପ୍ରକାଶ ପାଇବାପରେ ଆଜି ତଦନ୍ତ କରିଛନ୍ତି ଉପଖଣ୍ଡ ଯୋଗାଣ ଅଧିକାରୀ । ।ଲବଣି, ଜୁଣବାହାଳି, ମୟୁରନଚା, ଭଅଁରା, ରାଇଘାଟ-୧ ଓ ରାଇଘାଟି ୨, କେତକୀ ଆଦି ଗ୍ରାମର ୭ଟି ୱାର୍ଡର ଲୋକମାନେ ଗତ ୨୦୨୨ମସିହା ନଭମ୍ବର ଓ ଡିସେମ୍ବର ମାସର ଚାଉଳ ଆଜି ପର୍ଯ୍ୟନ୍ତ ପାଇପାରି ନଥିବା ସରପଞ୍ଚ ବିଡିଓଙ୍କୁ ଚିଠିଲେଖି ଜଣାଇଥିଲେ । ଏନେଇ ଖବର ପ୍ରକାଶ ପାଇବାପରେ ଚାଉଳ ବାଣ୍ଟୁଥିବା ରିଟେଲର କିଛି ହିତାଧିକାରୀଙ୍କୁ ଗୋଟିଏ ମାସର ଚାଉଳ ଦେଇଥିବାବେଳେ ଆଉ ଗୋଟିଏ ମାସର ଦେଇପାରି ନଥିଲେ । ଆଜି ଉପଖଣ୍ଡ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆ ଓ ଆନନ୍ଦପୁର ବ୍ଲକ ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ସାହୁ କେ ବାଲିପାଳ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କ ରେସନକାର୍ଡ ଗୁଡିକୁ ଦେଖିବାସହ ଅନେକ ଲୋକଙ୍କୁ ପଚାରି ବୁଝିଛନ୍ତି । ଅନେକ ଲୋକ ୩/୪ମାସ ହେଲା ଚାଉଳ ପାଇନଥିବା ନେଇ ତାଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଏ ସମ୍ପର୍କରେ ଉପଖଣ୍ଡ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆଙ୍କୁ ପଚାରିବାରେ ତଦନ୍ତ ଚାଲିଛି ସରିଲେ କୁହାଯିବ ବୋଲି କହିଛନ୍ତି । ଏହା ଏକ ଆଦିବାସୀ ବହୁ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଅଧବକାରୀଙ୍କ ପାଦ ପଡେନି । ତେଣୁ ସେମାନେ ବାରମ୍ବାର ୋଷଣର ଶୀକାର ହେଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିବାବେଳେ ଯଦି ହିତାଧିକାରୀ ମାନଙ୍କୁ ସେମାନଙ୍କର ପାଇବାକୁ ଥିବା ସମସ୍ତ ରେସନ ସାମଗ୍ରୀ ଦିଆ ନଯାଏ ତେବେ ଥାନାର ଦ୍ୱାରସ୍ତ ହେବେ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି ।