‘ଅଖିଳ ଭାରତୀୟ ମହିଳା ସମ୍ମେଳନ’ର ଅର୍ଦ୍ଧବାର୍ଷିକ ଅଧିବେଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତୀୟ ମହିଳା ସମ୍ମେଳନର ଦୁଇ ଦିନିଆ ଅର୍ଦ୍ଧବାର୍ଷିକ ଅଧିବେଶନ ସହର ଉପକଣ୍ଠ ଯୁଧିଷ୍ଟିରପୁର ସ୍ଥିତ ପଦ୍ମାବତୀ ଏମ୍ୟୁଜମେଣ୍ଟ ପାର୍କ ଓ ରିସର୍ଟ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀଅଧିକାର ସୁରକ୍ଷା ଓ ମହିଳା ସଶକ୍ତୀକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସାମ୍ପ୍ରତିକ ସମାଜରେ ମହିଳାଙ୍କ ହାର ୫୦ ପ୍ରତିଶତ ଛୁଇଁଥିବା ବେଳେ ରାଷ୍ଟ୍ର ପ୍ରଗତିରେ ସେମାନଙ୍କ ସହଭାଗିତା ମଧ୍ୟ ପ୍ରଶଂସନୀୟ ଅଟେ । ଅନ୍ୟପକ୍ଷରେ ବାଲ୍ୟ ବିବାହ, ଯୌତୁକ ଜନିତ ସମସ୍ୟା, ଘରୋଇ ହିଂସାରୁ ବର୍ତ୍ତିବା ପାଇଁ ସମସ୍ତେ ଶିକ୍ଷିତ ହେବାର ଆବଶ୍ୟକତା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ସମ୍ପ୍ରତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନରେ ପ୍ରାୟ ୭୦ଲକ୍ଷ ମହିଳା ସାମିଲ ହୋଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ପୂର୍ବରୁ ମହିଳାମାନେ କିଛି ରୋଜଗାର ସହିତ ପରିବାରକୁ ଆର୍ôଥକ ଉନ୍ନତିରେ ସହାୟକ ହୋଇପାରୁଥିବା ବେଳେ ଏବେ ସେମାନେ ସଂଗଠିତ ହୋଇ ଉଦ୍ୟୋଗୀକରଣକୁ ରୂପାନ୍ତରିତ ହେଉଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ବଡ଼ ବଡ଼ କାରଖାନା ପରିଚାଳନା କରିପାରୁଛନ୍ତି । ବାଲେଶ୍ୱରରେ କାର୍ଯ୍ୟକାରୀ ‘ଗୋଟିଏ ପଞ୍ଚାୟତ ଗୋଟିଏ ସାମଗ୍ରୀ ଉତ୍ପାଦ’ (ଓଜିଓପି) ଯୋଜନା ମହିଳାଙ୍କୁ ପ୍ରୋତ୍ସାହିତ କରିଥିବା ବେଳେ ଏହା ଏବେ ରାଜ୍ୟ ପାଇଁ ଉଦାହରଣ ହୋଇଛି ବୋଲି ଜିଲାପାଳ ଶ୍ରୀ ଶିନ୍ଦେ କହିଥିଲେ । ତେବେ ନାରୀମାନଙ୍କୁ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବାରେ ଅଖିଳ ଭାରତୀୟ ମହିଳା ସମ୍ମେଳନର ପ୍ରୟାସ ପ୍ରସଂଶନୀୟ ବୋଲି ଶ୍ରୀ ଶିନ୍ଦେ ମତପ୍ରକାଶ କରିଥିଲେ । ଅଖିଳ ଭାରତୀୟ ମହିଳା ସମ୍ମେଳନର ସଭାନେତ୍ରୀ କଲ୍ୟାଣୀ ରାଜ ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ଅର୍ଦ୍ଧବାର୍ଷିକ ଅଧିବେଶନର ଆଭିମୁଖ୍ୟ ଓ ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଉପ-ସଭାନେତ୍ରୀ ଗୋପାମୁଦ୍ରା ମହାପାତ୍ର ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଂଗଠନର ସାଧାରଣ ସମ୍ପାଦିକ ଡ. ମଞ୍ଜୁ କାକ ଏଥିରେ ବିବରଣୀ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷା ଡ. ଉପାସନା ସିଂହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅଧିବେଶନରେ ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରୁ ଶତାଧିକ ନାରୀନେତ୍ରୀ ଯୋଗ ଦେଇଥିବା ବେଳେ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ