ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୧ବର୍ଷ କାରାଦଣ୍ଡାଦେଶ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରାଇବା ଅପରାଧରେ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଶୁକ ମଲିକଙ୍କ ପୁଅ ୭୦ବର୍ଷର ବୃଦ୍ଧ ଛୋଟା ଓରଫ ରାଜୀବ ମଲିକକୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଦୈାରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ପ୍ରଣତୀ ପଟ୍ଟନାୟକ ୨୧ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ୨୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜନୈକ ୧୬ବର୍ଷରୁ କମ ଏକ ନାବାଳିକାକୁ ସେହି ଗ୍ରାମର ରାଜୀବ ମଲିକ ଡରାଇ ଓ ଧମକାଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏସମ୍ପର୍କରେ ସଂପୃକ୍ତ ନାବାଳିକାକୁ ଧମକ ଦିଆଯାଇଥିବାରୁ ସେ ଏସମ୍ପର୍କରେ ବାହାରେ ପ୍ରକାଶ କରିନଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ ନାବାଳିକା ୭ମାସର ଗର୍ଭବତୀ ହେବା ପରେ ଏକଥା ସେ ପ୍ରଥମେ ତାର ଜେଜେମା ଓ ଖୁଡିକୁ ଜଣାଇଥିଲା । ପରେ ଏସମ୍ପର୍କରେ ସଂପୃକ୍ତ ନାବାଳିକାର ଜେଜେମା ଆଳି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର- ୩୨୭/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ପରେ ଆଳି ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଜି.ଆର. କେଶ ନମ୍ବର ୭୫/୨୦୨୨ରେ ଏହି ମାମଲାର ଶୁଣାଣି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଦୈାରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜଙ୍କ କୋର୍ଟରେ ଆରମ୍ଭ ହୋଇଥିଲା । ସମସ୍ତ ସାକ୍ଷ୍ୟ, ପ୍ରମାଣକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୈାରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ଶ୍ରୀମତୀ ପଟ୍ଟନାୟକ ଆସାମୀ ରାଜୀବ ମଲିକ(୭୦)କୁ ପୋକ୍ସୋ ଆଇନର ଧାରା ୬ରେ ୨୦ବର୍ଷ ଜେଲଦଣ୍ଡାଦେଶ ସହ ୨୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅଊନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଆଇ.ପି.ସି.ର ୫୦୬ ଦଫାରେ କୋର୍ଟ ଅଭିଯୁକ୍ତକୁ ୧ବର୍ଷ ଜେଲଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହି ଉଭୟ ଦଣ୍ଡାଦେଶ କ୍ରମାନ୍ୱୟରେ ଲାଗୁ ହେବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ ସରକାରଙ୍କ ପକ୍ଷରୁ ଅଦାଲତରେ ମକ୍କଦ୍ଦମାର ପରିଚାଳନା କରୁଥିଲେ ।