ଅଣା-ପନ୍ଦାଡୋ କେନାଲ ରାସ୍ତାର ଦୁରାବସ୍ଥା, ଯାତାୟତରେ ବାଧା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଅଣା ଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ଯାଇଥିବା କେନାଲ ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଉପରେ ପନ୍ଦାଡୋ, କପୁଣ୍ଡି, କୁଣ୍ଡିସାହି, ଖାଣ୍ଟପଦା, ନାହାଳିଆ, ତେନ୍ତୁଲିପଦି, ଗୋବିନ୍ଦପୁରା, ତରାଗଡିଆ, ସଢ଼ା, ଜମ୍ଭୀରା, ଅଣା, ବଦ୍ଧନପୁର, ଏଲକଣା ଆଦି ଗ୍ରାମର ହଜାର ହଜାର ଲୋକମାନେ ନିର୍ଭର କରିଥାନ୍ତି । ଗତ ୫ବର୍ଷ ପୁର୍ବେ ଏହିରାସ୍ତାଟିକୁ ପିଚୁ କରାଯାଇ ଥିବାବେଳେ କେନାଲ ଲାଇନିଂ କାମ କରୁଥିବା ଠିକାସଂସ୍ଥାର ଗାଡି ଗୁଡିକ ଚଳପ୍ରଚଳ କରିବାରୁ ରାସ୍ତାଟି ଅଳ୍ପ ଦିନ ମଧ୍ୟରେ ଭୁଷୁଡି ପଡିଥିଲା । ଦୁଇବର୍ଷ ହେଲା ରାସ୍ତାର ଖାଲଖମା ଗୁଡିକ ନାଲିମାଟିରେ ପୋତାଯାଉଥିବାରୁ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି । ଅସରାଏ ବର୍ଷାରେ ଖାଲଖମା ଗୁଡିକରେ ଫୁଟେ ଦୁଇଫୁଟ ଉଚ୍ଚର ପାଣି ଜମି ରହୁଥିବାବେଳେ ଲୋକମାନେ ଯାତାୟତ କରିପାରୁ ନାହାନ୍ତି । ଛାତ୍ରଛାତ୍ରୀମାନେ ଏହି କେନାଲ ରାସ୍ତାଦେଇ ସ୍କୁଲ କଲେଜ ଯିବାଆସିବା କରୁଥିବାବେଳେ ସେମାନେ ନାନା ସମସ୍ୟା ଭୋଗ କରୁଛନ୍ତି । ଗତ କିଛିଦିନ ତଳେ ଏହି ରାସ୍ତାକୁ ମରାମତି କରିବାପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିୟୋଜିତ କେହି ଠିକାଦାର କେବଳ ନିମ୍ନମାନର ପଥର ଓ ମାଟିମିଶା ମୋରମ ପକାଇବାରୁ ତାହାକୁ ଗ୍ରାମବାସୀମାନେ ବିରୋଧ କରିଥିଲେ । ଫଳରେ କାମ କରୁଥିବା ଠିକାଦାର କାମ ବନ୍ଦ କରିଦେଲା । କେବଳ ଖାଲ ପୋତା ନାଁରେ ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ବିଲ କରାଯାଇ ଅନୁଦାନ ହଡପ କରାଯାଉଥିବା ସ୍ତାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ରାସ୍ତାଟିକୁ ଭଲ ଭାବରେ ମରାମତି କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।