କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ-୨୦୨୩ ଓଡିଶା ଲଳିତ କଳା ଏକାଡେମୀର ରାଜ୍ୟ ସଂଗ୍ରାହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଅତିଥିମାନଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ମାହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନିତ ଅତିଥି ରୂପେ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ଡ଼ଃ. ପଞ୍ଚାନନ ସାମଲ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ବିଭାଗର ମୁଖ୍ୟ ଡ଼ଃ. ଚକ୍ରଧର ବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦଘାଟନ କରିଥିଲେ । ଅତିଥିମାନେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳାଗୁଡ଼ିକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ । ପ୍ରତ୍ୟେକ ଶିଳ୍ପୀ ଛାତ୍ରଛାତ୍ରୀ ଆଗାମୀ ଦିନରେ ଜଣେ ଜଣେ ପ୍ରତିଷ୍ଠିତ ଚିତ୍ରକର ହୁଅନ୍ତୁ ବୋଲି ଅତିଥିମାନେ ମତପ୍ରକାଶ କରିବା ସହ ଶିଳ୍ପୀଙ୍କ ସୃଜନଶୀଳ କଳାକୃତି ସମାଜକୁ ଉଦବୁଦ୍ଧ କରିଥାଏ ବୋଲି କହିଥିଲେ । ପ୍ରଦର୍ଶନୀ ଅବସରରେ ମହାବିଦ୍ୟାଳୟର କୃତିଛାତ୍ରୀ ସୋଫିଆ ୟାସମିନ୍ ଓ ଛାତ୍ର ସୁବ୍ରତ କୁମାର ମୁଦୁଲିଙ୍କୁ ଅଧୀର କୁମାର ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରରେ ଜାତୀୟ ଲଳିତ କଳା ଏକାଡେମୀ ପୁରଷ୍କାର ପାଇଁ ମନୋନୀତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନରୋତ୍ତମ ଦାସଙ୍କୁ କଳାକ୍ଷେତ୍ରରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରଦର୍ଶନୀରେ ୫୦ଟି ଏକ୍ରେଲିକ ଚିତ୍ର, ୧୫ଟି ଭାସ୍କର୍ଯ୍ୟ କଳା, ୧୨ଟି ଡ୍ରଇଁ, ୮ଟି ମୁଦ୍ରଣ କଳା, ୧୨ଟି ପାରମ୍ପାରିକ କଳା, ୧୯ଟି ଜଳ ରଙ୍ଗ ଚିତ୍ର ଓ ୬ଟି ବ୍ୟବହାରିକ କଳା ପ୍ରଦର୍ଶିତ ହୋଇଅଛି । ପ୍ରାରମ୍ଭରେ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ଓ ସମ୍ପାଦକ ରବିଶଙ୍କର ଦାସ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ଼. ହୃଷିକେଶ ମିଶ୍ର କର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ବହୁ ଚିତ୍ରଶିଳ୍ପୀ ଓ କଳାନୁରାଗୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ କଳାକୃତିକୁ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।


