ମୁଖ୍ୟ ଅଭିଯୁକ୍ତ ଗିରଫ, ମୋବାଇଲ୍ ଫୋନ୍ ସମେତ ମହିଳାଙ୍କ ରକ୍ତଭିଜା ପୋଷାକ ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ମହୁଲପଲ୍ଲୀ ଶଶ୍ମାନରୁ ରବିବାର ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଦଉଲଗ୍ନ ମୃତଦେହ ଉଦ୍ଧାର କରିଥିଲା । ମୃତକା ଜଣଙ୍କ ପାଟପୁର ଥାନା ଜୟନଗରର ବର୍ଷା ପୁରୋହିତ । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୫୫୧/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ରାତିରେ ଫେରାର ଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରା(୨୫)ଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ମୋବାଇଲ୍ ଫୋନ୍ ସମେତ ମହିଳାଙ୍କ ରକ୍ତଭିଜା ପୋଷାକ ଜବତ କରିଛି । ଗିରଫ ପରେ ଅଭିଯୁକ୍ତଙ୍କୁ ସିନ୍ ରିକ୍ରିଏସନ କରିବା ପରେ ଗୁରୁବାର କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ମୃତା ବର୍ଷାଙ୍କ ସହିତ ସ୍ବାମୀଙ୍କ ମନମାଳିନ୍ୟ ପରେ ବର୍ଷା ସ୍ବାମୀଙ୍କୁ ଛାଡି ହାଇଦ୍ରାବାଦର ଏକ ହୋଟେଲରେ କାମ କରିଥିଲେ । ସେଠାରେ ନିମଖଣ୍ଡି ଥାନା ଗୁରୁଣ୍ଠି ଗ୍ରାମର ପ୍ରଶାନ୍ତଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ୩ ବର୍ଷ ଲିଭ୍ ଇନ୍ ରିଲେସେନସିପରେ ରହିବା ପରେ ବର୍ଷା, ପ୍ରଶାନ୍ତଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ । ପରେ ଦୁହେଁ ଗାଁ କୁ ଫେରିଥିଲେ । ଯୁବକଙ୍କ ପରିବାର ଲୋକେ ବର୍ଷାଙ୍କ ସହିତ ବିବାହକୁ ସ୍ବୀକୃତି ନଦେବାରୁ ଘଟଣା ନେଇ ବର୍ଷା ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ପରେ ଘଟଣାର ସମାଧାନ ହୋଇଥିଲା । ଶୁକ୍ରବାର ଓ ଶନିବାର ଦୁହେଁ ବ୍ରହ୍ମପୁରର ଏକ ଲଜରେ ରହିବା ପରେ ବର୍ଷାଙ୍କୁ ହତ୍ୟା ଯୋଜନା କରିଥିଲେ ପ୍ରଶାନ୍ତ । ଯୋଜନା ମୁତାବକ ରବିବାର ଉଭୟ ଗୋପାଳପୁର ବୁଲି ଫେରିବା ସମୟରେ ଏକ ଲୁହା ହାତୁଡିରେ ବର୍ଷାଙ୍କୁ ଆଘାତ କରିବାରୁ ବର୍ଷାଙ୍କ ମୃତ୍ୟୁ ଘଟିଥିଲା। ପ୍ରଶାନ୍ତଙ୍କ ୨ ଭାଇଙ୍କ ସହାୟତାରେ ଏକ ଯାତ୍ରୀବାହୀ ଅଟୋ ଯୋଗେନ୍ଦ୍ର ମୃତଦେହକୁ ଆଣି ମହୁଲପଲ୍ଲୀ ଶଶ୍ମାନରେ ମାଟି ଖୋଳି ପୋତି ଦେଇଥିଲେ । ଖବର ପାଇ ପୋଲିସ ଟିମ ସହ ସାଇଣ୍ଟଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାର ତଦନ୍ତ ଚଳାଇ ମଙ୍ଗଳବାର ରାତିରେ ମୁଖ୍ୟ ଅଭିଯୁକ୍ତଙ୍କ ୨ ଭାଇ ସୁଶାନ୍ତ ବେହେରା ଓ ସନ୍ତୋଷ ବେହେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସହ ବାଇକ୍, ଅଟୋ ଓ ମୋବାଇଲ୍ ଫୋନ୍ ଜବତ କରି ବୁଧବାର ଗିରଫ ୨ ଭାଇଙ୍କୁ କୋର୍ଟ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଆସିକା ଏସଡିପିଓ ଉମାଶଙ୍କର ସିଂଙ୍କ ନେତୃତ୍ବରେ ହିଞ୍ଜିଳି ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ବୁଧବାର ରାତିରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଗିରଫ ମୁଖ୍ୟ ଅଭିଯୁକ୍ତଙ୍କ ଠାରୁ ବର୍ଷାଙ୍କ ପିନ୍ଧା ରକ୍ତଭିଜା ପୋଷାକକୁ ଜବତ କରିଛି । ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ପୁଲିସକୁ ହତ୍ୟା କରାଯାଇଥିବା ସ୍ଥାନ ଓ ପୋତାଯାଇଥିବା ସ୍ଥାନ ବୁଲି ଦେଖାଇଥିଲେ । ବର୍ଷା ବିବାହ ପାଇଁ ଜିଦ୍ ଧରିବାରୁ ବାଧ୍ୟ ହୋଇ ହତ୍ୟା କରିଥିବା ପୁଲିସ ନିକଟରେ ମୁଖ ଅଭିଯୁକ୍ତ ପ୍ରଶାନ୍ତ ସ୍ବୀକାର କରିଛନ୍ତି । ହତ୍ୟା ଘଟଣାର ୪ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ହିଞ୍ଜିଳି ପୁଲିସ ସକ୍ଷମ ହୋଇଛି । ଚଢ଼ାଉରେ ଥାନା ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା, ତଦନ୍ତକାରୀ ଅଧିକାରୀ ତଥା ଏସଆଇ ସୁନିଲ କଣ୍ଡୋଗିରି, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ସରୋଜ କୁମାର ରଣସିଂହ, ଜିତେନ୍ଦ୍ର ଗୌଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ