ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଜନସାଧାରଣଙ୍କୁ ପ୍ରଶାସନ ସହ ଯୋଡିବା ଲାଗି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଏକ ବଡ ପଦକ୍ଷେପ ନେଇଛନ୍ତି । ଜିଲ୍ଲାର ସବୁ ବ୍ଲକ ଓ ସହରାଞ୍ଚଳ ଗୁଡିକର ସବୁ ବର୍ଗର ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯାଉଛି । ଯେଉଁ ଅଭିଯୋଗ ଗୁଡିକୁ ସମାଧାନ ହେବାରେ କିଛି ବିଳମ୍ବ ଦେଖାଦିଏ ତେବେ ଅଭିଯୋଗକାରୀଙ୍କୁ ଏଦିଗରେ ସୂଚନା ଦିଆଯିବ । ଏଭଳି ନିର୍ଦ୍ଦେଶକୁ ନେଇ ଶନିବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲିନା କୁମାରୀ ଖେସ୍ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସବୁ ବିଭାଗର ବରିଷ୍ଠ କିରାଣୀ ଏବଂ କର୍ମଚାରୀମାନଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ସମୀକ୍ଷା କରିଥିଲେ । ଜିଲ୍ଲାରେ ପାତ୍ରପୁର ବ୍ଲକରେ ସବୁଠୁ ଅଧିକ ଅଭିଯୋଗ ଗୁଡିକ ଫଇସଲା ନ ହୋଇ ପେଣ୍ଡି ରହିଥିବା ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ବ୍ଲକର ବିଭିନ୍ନ ସମସ୍ୟା ଜନସାଧାରଣ ଅବଗତ କରାଉଛନ୍ତି । ଏଣୁ ପାତ୍ରପୁର ବ୍ଲକର ସଂପୃକ୍ତ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତି ବ୍ଲକ ଏବଂ ଏନ୍ଏସି ସହିତ ଅନ୍ୟାନ୍ୟ ବିଭାଗରେ ପେଣ୍ଡି ରହିଥିବା ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ପ୍ରାଧାନ୍ୟ ଦିଆଯାଇ ତୁରନ୍ତ ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଜନସାଧାରଣଙ୍କ ଅଭିଯୋଗ ଗୁଡିକ ସମାଧାନ ହେବାରେ ବିଳମ୍ବ କିମ୍ବା ହୋଇପାରିବ ନାହିଁ ସେ କ୍ଷେତ୍ରରେ ମଧ୍ୟ ଅଭିଯୋଗକାରୀଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ବୈଠକରେ ଡେପୁଟି କଲେକ୍ଟର ଦିପ୍ତୀମୟୀ ପାତ୍ରଙ୍କ ସମେତ ବିଭିନ୍ନ ବ୍ଲକ, ଏନ୍ଏସି ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ବୈଠକର ସୂଚନାନୁସାରେ, ଜିଲ୍ଲାରେ ୧୨୩୨ ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୨ଟି ଅନ୍ଲାଇନ୍ ଆସିଥିଲା । ସେହିପରି କେନ୍ଦ୍ର ଆପ୍ ମାଧ୍ୟମରେ ୪୮୭ଟି ଅଭିଯୋଗ ଆସିଛି । ସବୁ ଅଭିଯୋଗ ମଧ୍ୟରୁ ୫୩୨ଟି ଅଭିଯୋଗ ଆସୁ ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ବାକି ଅଭିଯୋଗ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


