ମିଳିତ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବୀପତ୍ର
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ମିିଳିତ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ୪ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଯେ, ପ୍ରାଥମିକ ଶିକ୍ଷକ ମାନେ ସରକାରୀ ଅବହେଳାର ଶିକାର ହୋଇ ସମସ୍ତ ଦାୟିତ୍ୱ ନିର୍ବାହ କରିଆସୁଥିଲେ ମଧ୍ୟ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉନଥିବା ଅଭିଯୋଗ ଆଣି ଗତ ୨୦୨୨ ମସିହାରେ ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ମାନେ ଆନ୍ଦୋଳନକୁ ଉହ୍ଲାଇ ଥିଲେ । ତତ୍ କାଳୀନ ମୁଖ୍ୟ ଶାସନ ସଚିବ ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ । ଦୀର୍ଘମାସ ବିତି ଯାଇଥିଲେ ମଧ୍ୟ ସରକାର ପ୍ରତିଶୃତି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଫଳରେ ସଂଘ ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ଉହ୍ଲାଇବା ନିମନ୍ତେ ପ୍ରସ୍ତୁତ ହେଉଛି । ଶନିବାର ଶିକ୍ଷକ ନେତା ଧର୍ମେନ୍ଦ୍ର ନାରାୟଣ ଜେନା, ସନାତନ ଦାସ, ନରେନ୍ଦ୍ର ସାହୁ, ଅମୂଲ୍ୟ କୁମାର ଦାସ, ରମେଶ ପ୍ରସାଦ କର, ରବିନ୍ଦ୍ର କୁମାର ଜେନା, ସରୋଜ କୁମାର ଗୌରୀଶଙ୍କର ଜେନାଙ୍କ ନେତୃତ୍ୱରେ ପ୍ରାୟ ୨ଶହରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟିତ୍ରୀ ବନ୍ତ ବଜାର ପରିକ୍ରମା କରିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିପ୍ରେକ୍ଷୀରେ ରାଜ୍ୟ ସରକାର ଶିକ୍ଷା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ର୍ଯ୍ୟକାଳକୁ ନ୍ୟାସନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା, ଏକ୍ସ-କ୍ୟାଡର ଶିକ୍ଷକ, କଳା ଓ କ୍ରିଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦେବା,ସ ମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା ଓ ନୂତନ ପେନ୍ସନ୍ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବାକୁ ଦାବୀ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଦାବୀପତ୍ର ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଶିକ୍ଷକ ଅଶୋକ ଦାସ, ପଦ୍ମନାଭ ସେଠୀ, ସୌମେନ୍ଦ୍ର କୁମାର ସାହୁ, ଭରତ ଚନ୍ଦ୍ର ପ୍ରଧାନ, ସତ୍ୟରଞ୍ଜନ ଦାସ, ସୁଧୀର କୁମାର ବାରିକ, ସୂର୍ଯ୍ୟମଣି ପାତ୍ର, ସୁଧୀର ରାଉତ, ନିରାକାର ଜେନା, ଅନିରୁଦ୍ଧ ମଙ୍ଗଳ, ମହମ୍ମଦ ଆଝାରୁଦ୍ଦିନ, ଗଜେନ୍ଦ୍ର ସେଠୀ, ଶୁଭେନ୍ଦ୍ର କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


